କରୋନା ମହାମାରୀ ଯୋଗୁ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୯।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଧୀରେ ଧୀରେ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୯୯ ହଜାର ୬୧୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୭୩୭ ଛୁଇଁଛି। କରୋ ମହାମାରୀ ବର୍ତ୍ତମାନ ସୁଦ୍ଧା ୬ ମାସ ଧରି ସାରା ପୃଥିବୀରେ ସଙ୍କଟ ସୃଷ୍ଟି କରିଥିଲେ ବି କୌଣସି ଦେଶ ଏହାର କବଳରୁ ନିସ୍ତାର ପାଇ ପାରି ନ ଥିବା ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଏଦନହୋମ୍‌ ଗେବ୍ରେୟାସିସ୍‌ ସୂଚନା ଦେଇଛନ୍ତି। ଗତ ୧୦ ଦିନରେ ପୃଥିବୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଥିବା ସେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି। କିଛି ଦେଶରେ କରୋନା ଲଢ଼େଇରେ ସକାରାତ୍ମକ ଫଳାଫଳ ମିଳିଛି। ଏନେଇ ଡବ୍ଲ୍ୟୁଏଚ୍‌ଓ ବେଶ୍‌ ଉତ୍ସାହିତ। ତେବେ ଏସବୁ ଦେଶ ନିଜର ସଫଳତା ନେଇ ଆତ୍ମସନ୍ତୁଷ୍ଟ ହୋଇଛନ୍ତି। କିନ୍ତୁ କରୋନାର ପରବର୍ତ୍ତୀ ସଂକ୍ରମଣ ପ୍ରତି ସେମାନଙ୍କର ଅଭିମୁଖ୍ୟ ସୁଦୃଢ଼ ନ ଥିବା ସେ କହିଛନ୍ତି। ଏହା ଅତ୍ୟନ୍ତ ବିପଦ ଜନକ। ପୃଥିବୀର ବହୁ ଲୋକ ଏବେ ମଧ୍ୟ କରୋନା ସଂକ୍ରମଣ ହେବାର ଆଶଙ୍କା ମଧ୍ୟରେ ରହିଛନ୍ତି। ଏଥିରୁ ମୁକ୍ତି ପାଇଁ ସଚେତନତା ସହିତ ବଳିଷ୍ଠ ପ୍ରତିକ୍ରିୟାଶୀଳ ଯୋଜନା ଅପରିହାର୍ଯ୍ୟ ବୋଲି ଗେବ୍ରେୟାସିସ୍‌ କହିଛନ୍ତି।

Share