କରୋନା ମହାମାରୀ ଯୋଗୁ ହୋଇପାରେ ପୁଣି ମାନ୍ଦାବସ୍ଥା: ମୁଡିଜ୍‌

ଓ୍ବାଶିଂଟନ,୨୭।୨: ଚାଇନାରେ ଦେଖାଦେଇଥିବା କରୋନା ମହାମାରୀ ଧିରେଧିରେ ପୃଥିବୀର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ପୁଣି ଥରେ ପୃଥିବୀରେ ମାନ୍ଦାବସ୍ଥା ଦେଖାଯିବାର ଆଶଙ୍କା ରହିଥିବା ମୁଡିଜ୍‌ ଆନାଲିଟକ୍ସ୍‌ ପକ୍ଷରୁ କୁହାଯାଇଛି। କରୋନା ଆତଙ୍କ ଯୋଗୁ ଚାଇନାର ବହୁ ଶିଳ୍ପ ଉଦ୍ୟୋଗରେ ତାଲା ଲାଗିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିବାରେ ଲାଗିଛି। ଇତିମଧ୍ୟରେ ଇଟାଲୀ, ଇରାନ୍‌, କୋରିଆରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ହୋଇଛି। ପ୍ରତିବର୍ଷ ୩୦ ଲକ୍ଷରୁ ଅଧିକ ଚାଇନା ପର୍ଯ୍ୟଟକ ଆମେରିକା ଯାଇଥାନ୍ତି। ତେବେ କରୋନା ଆତଙ୍କ ଯୋଗୁ ଏହା ବନ୍ଦ ହୋଇଛି। କରୋନା ଭୟରେ ଦେଶ ଦେଶ ମଧ୍ୟରେ ହେଉଥିବା ଆମଦାନୀ ତଥା ରପ୍ତାନୀ ଉପରେ କଟକଣା ଲଗାଯାଇଛି। ଶୀଘ୍ର ପରିସ୍ଥିତି ନ ସୁଧୁରିଲେ ଏହାର ପ୍ରଭାବରୁ ପୃଥିବୀର ଅନ୍ୟ ବୃହତ୍‌ ଅର୍ଥ ବ୍ୟବସ୍ଥା ମଧ୍ୟ ନିସ୍ତାର ପାଇବେ ନାହିଁ ବୋଲି ମୁଡିଜ୍‌ କହିଛି।

Share