କରୋନା ମାଡ଼ ପରେ ଚାଷୀଙ୍କୁ କରାମାଡ଼ ଚିନ୍ତା

ଦେଓଗାଁ,୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ କରୋନା ଯୋଗୁଁ ହୋଇଥିବା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଏବେ ଅଦିନିଆ ବର୍ଷା ଓ କରାମାଡ଼ ଚିନ୍ତା ଘାରିଛି। ଶନିବାର ସନ୍ଧ୍ୟାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ଝଡବର୍ଷା ହୋଇଥିଲା ା ଏଥିରେ ବ୍ୟାପକମାତ୍ରାରେ ରବିଧାନ ଫସଲ ସହିତ ପରିବା ଚାଷ ନଷ୍ଟ ହୋଇଛି। ବ୍ଲକ ଅନ୍ତର୍ଗତ ବନ୍ଧପଡା, ରାମଚନ୍ଦ୍ରପୁର, ଦେଷଣ୍ଡ, ଲଣ୍ଡାପଥର, ଧଣ୍ଡାମାଲ, ଗାଇବାହାଲ, ବ୍ରାହ୍ଣଣୀଯୋର ଓ ସଦର ବ୍ଲକର ଭୂତିଆରବାହାଲ ଆଦି ପଞ୍ଚାୟତରେ ପନିପରିବା ଚାଷ କରାମାଡରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ା ଦେଷଣ୍ଡ ପଞ୍ଚାୟତର ଗମ୍ଭାରୀମାଲର ଚାଷୀ ଜଗଦୀଶ ସାହୁଙ୍କ କହିବାନୁସାରେ କରାମାଡ ଯୋଗୁଁ ୨୫ ଏକରରୁ ଊର୍ଦ୍ଧ୍ୱ ଜମିରେ ହୋଇଥିବା ଧାନ ସମେତ ପନିପରିବା ଚାଷ ଉଜୁଡି ଯାଇଛି ା ଏଥିସହ ତରଭୂଜ, କଖାରୁ ଓ ଅମଳ ହୋଇ ଖଳାର ରଖାଯାଇଥିବା ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି ା ଏଥିସହ ଦେଓଗାଁ, ବନ୍ଧପଡା, ଭୁତିଆରବାହାଲ, ମହୀପୁର ଓ ବଲାଙ୍ଗୀର କେନ୍ଦୁପତ୍ର ରେଞ୍ଜର ଶତାଧିକ ଗାଁରେ କରାମାଡ ଯୋଗୁଁ କେନ୍ଦୁପତ୍ର କ୍ଷତିଗ୍ରସ୍ତ ହୋଇଯାଇଛି ା ଏଣୁ କେନ୍ଦୁପତ୍ର ତୋଳି ପରିବାର ପୋଷଣ କରୁଥିବା ପରିବାରମାନେ ଏବେ ଚିନ୍ତାରେ ରହିଛନ୍ତି ା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି ା

Share