କରୋନା ମୁକାବିଲାକୁ ନେଇ ଛତିଶା ନିଯୋଗ ବୈଠକ: ଦର୍ଶନ, ଭୋଜନ ବ୍ୟବସ୍ଥା, ଗହଳି କଟକଣା ଉପରେ ଆଲୋଚନା

ପୁରୀ ଅଫିସ,୧୫।୩: କରୋନା ସତର୍କତାକୁ ନେଇ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଏଥିରେ ମୁଖ୍ୟ ପ୍ରଶାସକ ଡ . କ୍ରିଷନ କୁମାର ଅଧ୍ୟକ୍ଷତା କରିଛନ୍ତି। ବିଶେଷ କରି ଏହି ବୈଠକରେ ଶ୍ରୀମନ୍ଦିର ନୀତିକାନ୍ତି, ସେବାପୂଜା ଓ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମସ୍ତ ସତର୍କତାମୂଳକ ପଦକ୍ଷେପକୁ ଉଭୟ ସେବାୟତ, ଭକ୍ତ ଏବଂ ଶ୍ରୀମନ୍ଦିର କର୍ମଚାରୀମାନେ କିଭଳି ଗ୍ରହଣ କରିବେ ସେନେଇ ପ୍ରସ୍ତାବ ରହିଛି। ବିଶେଷକରି କରୋନା ସଂକ୍ରମଣ ନିରାକରଣ ପାଇଁ କେତେକ ପରମ୍ପରା ଉପରେ କଟକଣା ଲାଗିପାରେ। ଗରୁଡ଼ ସ୍ତମ୍ଭକୁ ଛୁଇଁବା ଓ ଭିତର କାଠ ଦର୍ଶନ ଉପରେ ମଧ୍ୟ ନିୟନ୍ତ୍ରଣ କରାଯିବ। ଜଗମୋହନ ଭିତର ଏବଂ ଅରୁଣ ସ୍ତମ୍ଭ ପାଖରେ ଭକ୍ତଙ୍କ ଗହଳି ଉପରେ କଟକଣା କରାଯିବା ସମ୍ଭାବନା ରହିଛି। ଆନନ୍ଦ ବଜାରରେ ବସିବା ଏବଂ ଭୋଜନ ବ୍ୟବସ୍ଥା ଉପରେ କଟକଣା କରାଯିବ ।
ସବୁଠାରୁ ବଡ଼କଥା ହେଉଛି ଦର୍ଶନାର୍ଥୀମାନେ ମନ୍ଦିରରେ ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ ଏବଂ କୌଣସି ଦେବଦେବୀ କିମ୍ବା ପଦାର୍ଥ ଓ ବସ୍ତୁକୁ ଛୁଇଁବାକୁ ବାରଣ କରାଯିବ ।
ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବା ନେଇ ଆଲୋଚନା ହୋଇପାରେ। ପୁରୀରେ କରୋନା ଭଳି ଭୟଙ୍କର ଭାଇରସ ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କୁ କ୍ଷମତାପନ୍ନ କରାଯାଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ସମସ୍ତ ନିଯୋଗ, ସେବକ ଓ ଯାତ୍ରୀ ସହଯୋଗ ପ୍ରଦାନ ପାଇଁ ଅନୁରୋଧ କରାଯିବ। ବୈଠକରେ ମୁଖ୍ୟତଃ ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚିଠିରେ ଉଲ୍ଳେଖ ରହିଛି ।