କରୋନା ମୁକାବିଲାରେ ମୋଦି ସରକାର ସଫଳ

ନୂଆଦିଲ୍ଲୀ,୨୪ା୪: ପ୍ରାଣଘାତୀ କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏଥିରୁ ଭାରତ ବାଦ୍‌ ଯାଇନି। ଦେଶରେ ଏବେ କରୋନା ମୃତ୍ୟୁ ୬୯୧ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୧,୭୭୪ ହଜାରରେ ପହଞ୍ଚିଲାଣି। ଏହାର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବେଶ୍‌ ତତ୍ପରତା ପ୍ରକାଶ ପାଇଛି। ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଭାରତର ସ୍ଥିତି ଭଲ ରହିଛି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିବା ସହ କେତେକ କଟକଣା ଲଗାଇଛନ୍ତି। ରେଳ, ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ତଥାପି ବିଦେଶ ଫେରନ୍ତାଙ୍କୁ ନେଇ ଏବେ ବି ଭୟ ଲାଗିରହିଛି। ତେବେ ଦେଶରେ କରୋନା ମୁକାବିଲା ନେଇ ମୋଦି ସରକାରଙ୍କ ସପକ୍ଷରେ ଦୃଢ଼ ଜନ ସମର୍ଥନ ଦେଖିବାକୁ ମିଳିଛି। ଏକ ସର୍ଭେ ରିପୋର୍ଟରେ ୯୩.୫ ପ୍ରତିଶତ ଲୋକ ମୋଦି ସରକାର କରୋନା ଭୂତାଣୁର ମୁକାବିଲା କରିବାରେ ସଫଳ ହୋଇଥିବା କହିଛନ୍ତି। ପ୍ରଥମେ ୨୧ ଦିନିଆ ଲକ୍‌ଡାଉନ୍‌ ଓ ପରେ ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ମୋଦି ସରକାରଙ୍କ ଏକ ଦୃଢ଼ ପଦକ୍ଷେପ ବୋଲି ଲୋକେ କହିଛନ୍ତି।

ଆଇଏଏନ୍‌ଏସ୍‌-ସି-ଭୋଟର କୋଭିଡ୍‌-୧୯ ଟ୍ରାକର ମତରେ ଏପ୍ରିଲ ୧୬ରେ ୨୧ ଦିନିଆ ଲକ୍‌ଡାଉନ୍‌କୁ ଦେଶର ୭୬.୮ ପ୍ରତିଶତ ଜନତା ସମର୍ଥନ କରିଥିଲେ। ତେବେ କରୋନା କାୟାମେଳାଇବା ପରେ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଲକ୍‌ଡାଉନ୍‌କୁ ଏବେ ୯୩.୫ ପ୍ରତିଶତ ଲୋକେ ସମର୍ଥନ କରିଛନ୍ତି। ଦେଶରୁ କରୋନା ଭୂତାଣୁକୁ ହଟାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ମୋଦିଙ୍କ ଆଲୋଚନା, କେନ୍ଦ୍ରର କରୋନା ପ୍ୟାକେଜ୍‌, ଚିକିତ୍ସା ସେବା ନେଇ ପ୍ରସ୍ତୁତି, ଗରିବଙ୍କୁ ସହାୟତା ଘୋଷଣା, କରୋନା ଯୋଦ୍ଧାଙ୍କୁ ସମ୍ମାନ, ପ୍ରୋତ୍ସାହନ ସହ ଉତ୍ସାହିତ କରିବା ଭଳି ମୋଦି ସରକାରଙ୍କ ପଦକ୍ଷେପକୁ ଦେଶବାସୀ ବିପୁଳ ସମର୍ଥନ କରିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Share