କରୋନା ମୁକାବିଲା: ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ନବୀନ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): କରୋନା ମୁକାବିଲା ନେଇ ଆଗକୁ କିପରି ରଣନୀତି କରାଯିବ, ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ହେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଭାଗ ନେବେ। ରାଜ୍ୟ ପକ୍ଷରୁ ଏକାଧିକ ଦାବି ତଥା ପ୍ରସ୍ତାବ ମଧ୍ୟ ରଖିବେ। ପୂର୍ବ ଆଲୋଚନା ମୁତାବକ ରାଜ୍ୟରେ ଟେଷ୍ଟିଂ କିଟ୍‌ ସଂଖ୍ୟାରେ ବୃଦ୍ଧି ଆସିଛି। ପ୍ରାରମ୍ଭରୁ ହାତଗଣତି ନମୂନା ପରୀକ୍ଷା ହେଉଥିବା ବେଳେ ଦୈନିକ ୪୦୦ରୁ ଅଧିକ ରିପୋର୍ଟ ଆସିପାରୁଛି।
କେନ୍ଦ୍ର ସରକାର ନିଜ ଆଡୁ ଲକ୍‌ଡାଉନ ବୃଦ୍ଧି ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ଗୁରୁବାର ଏପ୍ରିଲ ୩୦ ଯାଏ ବୃଦ୍ଧି ନେଇ ଆଗୁଆ ଘୋଷଣା କରିସାରିଛନ୍ତି। ଏକାଧିକ ରାଜ୍ୟ ମଧ୍ୟ ସାରା ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି। ତେଣୁ ଶନିବାର ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ପରବର୍ତ୍ତୀ ଆଭିମୁଖ୍ୟ ନେଇ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ସେହିଭଳି ସାଧାରଣ ଖାଉଟିଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ବିଭିନ୍ନ ଭତ୍ତା ବାବଦକୁ କେନ୍ଦ୍ରୀୟ ଅନୁଦାନ ଅଂଶ ରାଜ୍ୟକୁ ଦେବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯିବ।

Share