ଭୁବନେଶ୍ୱର,୨୨। ୫ (ବ୍ୟୁରୋ): ରାଜ୍ୟ ସରକାର କୋଭିଡ୍-୧୯ର ମୁକାବିଲା ପାଇଁ ଜୋର୍ଦାର ପ୍ରୟାସ ଚଳାଇଛନ୍ତି। ବିଶେଷକରି ରାଜ୍ୟର ଚାଷୀଙ୍କୁ ଅଣ୍ଟା ସଳଖିବା ପାଇଁ ସରକାର ଖରିଫ୍ ଋଣର ପରିମାଣକୁ ବୃଦ୍ଧି କରିଛନ୍ତି। ପୂର୍ବ ଯୋଜନାରେ ଧାର୍ଯ୍ୟ ହୋଇଥିବା ୭୫୦୦ କୋଟିର ଋଣ ପରିମାଣକୁ ଏବେ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷକରି ଚଳିତ ଖରିଫ୍ ଋତୁ ପାଇଁ ପୂର୍ବରୁ ଧାର୍ଯ୍ୟ ସମବାୟ ଫସଲ ଋଣ ପରିମାଣକୁ ବୃଦ୍ଧି କରାଯାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରବାସୀ, ଯୁଗ୍ମଦେୟ ଗୋଷ୍ଠୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପ୍ରାଧାନ୍ୟ ଦିଆଯିବ। ସେହିପରି ମତ୍ସ୍ୟଚାଷ, ଗୋପାଳନ, ପ୍ରାଣୀପାଳନ ଓ କୁକୁଡ଼ାଚାଷ ଆଦି କ୍ଷେତ୍ରରେ ଅଧିକ ସ୍ବଳ୍ପକାଳୀନ ଋଣ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ଗୁରୁବାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତ୍ତିରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି।