କରୋନା ମୁକାବିଲା: ଗାଁ ଗାଁ ବୁଲି ସଚେତନତା, ଘରେ ରହିବାକୁ ପରାମର୍ଶ

ରାଇକିଆ, ୨୪।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରତେକ ଦିନ ବାହାର ରାଜ୍ୟ ଫେରନ୍ତାମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ବିଶେଷକରି ରାଇକିଆ ଅଞ୍ଚଳରୁ ଯାଇ କେରଳ, ତାମିଲନାଡୁ, କର୍ନାଟକ, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି । ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବା ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି । ସେମାନଙ୍କୁ ବାହାରକୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତାକୁ ତ୍ୱରିତ କରାଯାଇଛି। ଏଥିରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ବୃଦ୍ଧାବୃଦ୍ଧଙ୍କୁ ସେମାନଙ୍କ ୱାର୍ଡରେ ଭତ୍ତା ବଣ୍ଟନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କ୍ରମାଗତ ତୃତୀୟ ଦିନ ପାଇଁ ରାଇକିଆ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ହିଁ ଖୋଲା ରହିଛି । ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭିଡ଼ ଯେପରି ନ ହେବ ତାହାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଇ ଯାଞ୍ଚ କରାଯାଇଛି ।

Share