ଭୁବନେଶ୍ୱର,୭।୨(ବ୍ୟୁରୋ): ପ୍ରାଣଘାତକ କରୋନା ଭାଇରସ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବେ ସାବୁନରେ ହାତ ଧୋଇବା ସହ ଥଣ୍ଡା ହୋଇଥିଲେ ରୁମାଲ ଦେଇ ଛିଙ୍କିବାକୁ ଛାତ୍ରୀଛାତ୍ରୀମାନଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି। ଏଥିସହ ସେମାନଙ୍କୁ ଗହଳିସ୍ଥାନରୁ ଦୂରେଇବା ଲାଗି ପ୍ରାର୍ଥନା କ୍ଲାସରେ କହିବା ଲାଗି ସ୍କୁଲ ଅଧିକାରୀଙ୍କୁ ଲିଖିତ ଭାବେ ପଠାଯାଇଛି। ଡିଇଓ ଓ ବିଇଓଙ୍କ ଦ୍ୱାରା ଏହାର ମନିଟରିଂ କରାଯିବ।
ରାଜ୍ୟରେ ଏବେ ସ୍ଥିତି ସ୍ବାଭାବିକ ରହିଛି। କରୋନା ମୁକାବିଲା କ୍ଷେତ୍ରରେ କେରଳ ଭଲ କାମ କରିଛି। ଇତିମଧ୍ୟରେ ଓଡ଼ିଶାରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି। ସକ୍ରିୟ ଭାବେ ନଜର ରଖିବା ଲାଗି ଓଡ଼ିଶାରୁ ଚାଇନାକୁ ଭିଜା ବାତିଲ କରାଯାଇଛି। ଏପରିକି ଓଡ଼ିଆ ଲୋକ ଚାଇନାରେ ଥିଲେ ସେମାନଙ୍କୁ ଭାରତୀୟ ଦୁତାବାସ ସହ ଯୋଗାଯୋଗ କରିବାକୁ ପଡ଼ିବ। ସେଠାରେ ଅନୁମତି ମିଳିଲେ ସେମାନେ ଓଡ଼ିଶା ଆସିପାରିବେ। ଚାଇନା, ହଂକଂ ଓ ଥାଇଲାଣ୍ଡ ଯାଇଥିବା ୩୬ଜଣ ଯାତ୍ରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ରକ୍ତ ନମୂନା ଯାଞ୍ଚ ବେଳେ ନେଗେଟିଭ୍ ବାହାରି ଥିବା ବେଳେ ୨ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।