କରୋନା ମୁକାବିଲା: ଦେଶର ୫୩୧ ଜିଲାରେ ନାହିଁ ଟେଷ୍ଟିଂ ଲ୍ୟାବ୍‌

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା କ୍ଷେତ୍ରରେ ନମୁନା ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଦେଶର ୭୧୭ ଜିଲା ମଧ୍ୟରୁ କେବଳ ୧୮୬ ଜିଲାରେ ଟେଷ୍ଟିଂ ଲ୍ୟାବ୍‌ ରହିଛି। ଦେଶର ମୋଟ ଜିଲା ସଂଖ୍ୟା ୭୩୩ ଥିବାବେେଳେ ୭୧୭ଟି ସମ୍ପର୍କରେ ତଥ୍ୟ ଆଇସିଏମ୍‌ଆର୍‌ ପାଖରେ ରହିଛି। ୫୩୧ ଜିଲାରେ ନମୁନା ପରୀକ୍ଷା ପାଇଁ କୌଣସି ଲ୍ୟାବ୍‌ ନାହିଁ। ଭାରତୀୟ ମେଡ଼ିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ରିପୋର୍ଟ ଅନୁସାରେ ଦେଶରେ ୪୫୩ଟି ଲ୍ୟାବ୍‌ରେ ଆରଟି-ପିସିଆର୍‌ ପରୀକ୍ଷା କରାଯାଉଛି। ସେଥିମଧ୍ୟରୁ ୩୦୪ ସରକାରୀ ଏବଂ ୧୪୯ ଘରୋଇ ଲ୍ୟାବ୍‌। ଆରଟି-ପିସିଆର୍‌ ବ୍ୟତୀତ ଟ୍ରୁନେଟ୍‌ ଟେଷ୍ଟ୍‌ ପାଇଁ ୧୦୫ ଏବଂ ସିବିଏନ୍‌ଏଏଟି ପରୀକ୍ଷା ଲାଗି ୫୪ ଲ୍ୟାବ୍‌ ରହିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଆରଟି-ପିସିଆର୍‌ ପରୀକ୍ଷା ଜରୁରୀ। କରୋନା ସଂକ୍ରମଣ ଯୋଗୁ ଅଧିକ ପ୍ରଭାବିତ ହୋଇଥିବା୧୦ ରାଜ୍ୟ ମଧ୍ୟରେ ତାମିଲନାଡୁର ୩୨ ଜିଲା ମଧ୍ୟରୁ ୨୮ ଜିଲାରେ ୬୫ ଲ୍ୟାବ୍‌ ଥିବାବେେଳେ ମହାରାଷ୍ଟ୍ରରେ ୬୨ ରହିଛି। ମହାରାଷ୍ଟ୍ରର ୩୬ ଜିଲା ମଧ୍ୟରୁ ୧୬ଟି ଜିଲାରେ ଟେଷ୍ଟିଂ ଲ୍ୟାବ୍‌ ରହିଛି। ଲଦାଖ, ଡାମନ୍‌-ଡିୟୁ ଏବଂ ଲାକ୍ଷାଦ୍ୱୀପରେ କୌଣସି ଲ୍ୟାବ୍‌ ନାହିଁ। ଦେଶର ୧୦୪ ଜିଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏସବୁ ଜିଲାରେ ଲ୍ୟାବ୍‌ ମଧ୍ୟ ନାହିଁ।

Share