କରୋନା ମୁକାବିଲା: ନୀରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏହି ସମୟରେ ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ଶକ୍ତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏନେଇ ସମସ୍ତ ବିଦ୍ୟୁତ ବଣ୍ଟନ ସଂସ୍ଥା-ସେସୁ, ୱେସ୍କୋ, ନେସ୍କୋ ଏବଂ ସାଉଥ୍‌କୋକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ଆଗକୁ ଗ୍ରୀଷ୍ମ ଆସୁଥିବାରୁ ମଧ୍ୟ ଶକ୍ତି କର୍ମଚାରୀଙ୍କୁ ସତର୍କ କରାଯାଇଛି। ଏହି ସମୟରେ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ଏବଂ ଆବଶ୍ୟକ ମରାମତି ଯେପରି ଠିକ୍‌ ସମୟରେ ହେବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଜିଲା ମୁଖ୍ୟାଳୟ ଏବଂ ଅତି ଆବଶ୍ୟକ ସରକାରୀ ଅଫିସଗୁଡିକରେ ଯେପରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ, ସେ ନେଇ ବିତରଣ ସଂସ୍ଥାକୁ କୁହାଯାଇଛି।
ପ୍ରତିଦିନ ପୂର୍ବାହ୍ନ ୧୦ଟା ସୁଦ୍ଧା ବିଦ୍ୟୁତ ସେବା ସମ୍ପର୍କିତ ସମୀକ୍ଷା କରାଯିବ। ଆବଶ୍ୟକତାକୁ ଦେଖି ବିଭାଗୀୟ ମାନବ ସମ୍ବଳର ଯେପରି ସୁବିନିଯୋଗ ହୋଇପାରିିବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share