କରୋନା ମୁକାବିଲା ପାଇଁ ଏମ୍‌ସିଏଲର ପ୍ରସ୍ତୁତି

ସମ୍ବଲପୁର, ୧।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାକୁ ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀର ସମସ୍ତ କର୍ମଚାରୀ, ଠିକା କର୍ମଚାରୀ ଓ ଜନସାଧାରଣଙ୍କୁ ୨୯ ହଜାର ମାସ୍କ ବଣ୍ଟନ କରିଛି । ଏଥିସହ ଯନ୍ତ୍ରାଂଶ ଓ ଉପକରଣକୁ ସାନିଟାଇଜ୍‌ କରାଯାଇଛି । ଏମସିଏଲ ମୁଖ୍ୟାଳୟ ସହ ୨ଟି କୋଇଲା ଖଣି ଅଞ୍ଚଳରେ ହେଲପ୍‌ ଲାଇନ ବ୍ୟବସ୍ଥା ରହିଛି । ଅପରପକ୍ଷେ ଅନୁଗୋଳ ଜିଲା ତାଳଚେର ନେହେରୁ ଶତାନ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ୧୦୮ଟି ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ, ଝାରସୁଗୁଡା ଜିଲାର ଲଖନପୁର ଚିକିତ୍ସାଳୟରେ ୫୦ଟି କ୍ୱାରାଣ୍ଟାଇନ, ଝାରସୁଗୁଡା ଜିଲା କୋଇଲା ଖଣି କେନ୍ଦ୍ରୀୟ ଚିକିତ୍ସାଳୟରେ ୪ଟି, ସୁନ୍ଦରଗଡ ଜିଲା ବସୁନ୍ଧରାରେ ୨ଟି ଆଇସୋଲେସନ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ୱର ସୋମ୍‌ ଡାକ୍ତରଖାନାରେ ୫ଶହଟି ଶଯ୍ୟା ବିଶିଷ୍ଟ କୋଭିଡ-୧୯ ୱାର୍ଡ ପ୍ରସ୍ତୁତ କରାଯାଇଛିକ୍‌, ଯେଉଁଥିରେ ୨୫ଟି ଆଇସିୟୁ ଉପଳବ୍ଧ ରହିଛି । କୋଭିଡ-୧୯ ଚିକିତ୍ସାଳୟ ଲାଗି ୨୫ଟି ଭେଣ୍ଟିଲେଟର୍‌ କିଣା ଯାଇଛି । ଏତତ୍‌ବ୍ୟତିତ ଏମସିଏଲର ୪ଟି ଡାକ୍ତରଖାନାରେ ୧୨୭ଟି ଅକ୍ସିଜେନ୍‌ ସିଲିଣ୍ଡର ଉପଲବ୍ଧ ରଖାଯାଇଛି । ସେହିଭଳି ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ସକାଶେ ୪୨ଟି ବ୍ୟକ୍ତିଗତ ସୁରକ୍ଷା ଉପକରଣ, ୬ହଜାର ୧୬୬ଟି ମାସ୍କ ଓ ୨୦୧ଟି ସାନିଟାଇଜର ଉପଲବ୍ଧ ରହିଛି ବୋଲି ଜନସମ୍ପର୍କ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି।

Share