କରୋନା ମୁକାବିଲା ପାଇଁ କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ: ଏନ୍‌ଡିଆର୍‌ଏଫ୍‌ ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ଖୋଲାଯାଉ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କରିବା ପାଇଁ ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ(ଏନ୍‌ଡିଆର୍‌ଏଫ୍‌) ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ସ୍ଥାପନ କରାଯାଉ, ଯଦ୍ଦ୍ବାରା ସ୍ବାସ୍ଥ୍ୟ ବିପର୍ଯ୍ୟୟ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କୁ ଉଚିତ୍‌ ତାଲିମ ଦିଆଯାଇପାରିବ। ଗୁରୁବାର ରାଜ୍ୟ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟି କେନ୍ଦ୍ର ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛି।
କରୋନା ମୁକାବିଲା ନେଇ ଗୁରୁବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟାରେ କୋଭିଡ-୧୯ ପରୀକ୍ଷା କରାଯିବ। ଏଥିସହିତ ରାଜ୍ୟରେ ଥିବା ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ ଗୋଷ୍ଠୀଗତ ବା ପୁଲ୍‌ ଟେଷ୍ଟ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏବେ ବୁର୍ଲା ମେଡିକାଲରେ ଟେଷ୍ଟିଂ କେନ୍ଦ୍ର ଖୋଲାଯାଇଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରିବାକୁ କୁହାଯାଇଛି। ଆଉ ଦୁଇଟି ଟେଷ୍ଟିଂ କେନ୍ଦ୍ର ଯୋଗାଇ ଦେବାକୁ ଦାବି କରାଯାଇଥିବା ନବ କହିଛନ୍ତି। ପୂର୍ବରୁ ଦିନକୁ ମାତ୍ର ୧୦୦ନମୁନା ପରୀକ୍ଷା ହେଉଥିଲା। ଏବେ ୧ହଜାରରୁ ୨ହଜାର ନମୁନା ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ଏହାକୁ ୨ରୁ ୩ ହଜାରକୁ ବୃ୍‌ଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ରୋଗ ପ୍ରତିରୋଧକ ଶକ୍ତି ଗବେଷଣା କେନ୍ଦ୍ର ସ୍ଥାପନ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ରାଜ୍ୟରେ ମେଡିକାଲ ଉପକରଣ ପ୍ରସ୍ତୁତ କାରଖାନା ସ୍ଥାପନ କରିବା ନେଇ ମଧ୍ୟ ବୈଠକରେ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ତାଲିମ ଓ ଦକ୍ଷତା ବୃଦ୍ଧିକୁ କିପରି ଅଧିକ ତ୍ୱରାନ୍ବିତ କରାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Share