କେନ୍ଦୁଝର,୨୧ା୩(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ଠାରେ ସ୍ବତନ୍ତ୍ର ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ ନିଆଯିବ ସେ ବିଷୟରେ ଆଲୋଚନା କରାଯାଇଛି। ଉକ୍ତ ବୈଠକରେ ଜିଲାର ସମସ୍ତ ବିଧାୟକ ବଦ୍ରି ନାରାୟଣ ପାତ୍ର, ମୋହନ ମାଝି, ଜଗନ୍ନାଥ ନାୟକ, ବିଧାୟିକା ମୀନାକ୍ଷୀ ମହାନ୍ତ ତଥା ଜିଲା ପରିଷଦ ସଦସ୍ୟା/ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲାପାଳ ବୈଠକରେ କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇଥିବା ବେଳେ ସିଡିଏମ୍ଓ ଡା. ଅଶୋକ କୁମାର ଦାସ ଜିଲାରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍ ଡା. ଭକ୍ତ ଚରଣ ପ୍ରଧାନ, ପିଡି ଡିଆରଡିଏ ଡକ୍ଟର ଉଦ୍ଧବ ମାଝୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ହଲ୍ରେ ପ୍ରବେଶ କରିବା ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶ୍ରେ ହାତ ଧୋଇ ଭିତରକୁ ପ୍ରବେଶ କରିଥିଲେ।