କରୋନା ମୁକାବିଲା ପାଇଁ ଦିଲ୍ଲୀକୁ ମିଳିଲା ୫ଶହ ରେଲଓ୍ବେ କୋଚ, ଟେଷ୍ଟିଂ ବଢାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୧୪।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀରେ କରୋନା ଭାଇରସର ସ୍ଥିତିକୁ ନେଇ ଏକ ସମିକ୍ଷା ବୈଠକର ଆୟୋଜନ କରିଥିଲେ। ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ଅତିକ୍ରମ କରି ଯାଇଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି। ଏହାସହ ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୧,୨୦୦ରେ ପହଞ୍ଚି ସାରିଲାଣି। ଏହାକୁ ନେଇ ଆୟୋଜିତ ହୋଇଥିବା ସମିକ୍ଷା ବୈଠକ ପାଖାପାଖି ୧ ଘଣ୍ଟା ୨୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। କରୋନାକୁ ରୋକିବାକୁ ଟେଷ୍ଟିଂ ବୃଦ୍ଧି କରିବା, ବେଡ୍‌ ସଂଖ୍ୟା ବଢାଇବା ଓ ଅନ୍ୟ ହେଲ୍‌ଥ ଇନ୍‌ଫ୍ରାଷ୍ଟକ୍ଚରକୁ ନେଇ ଆଲୋଚନା ହୋଇଥିଲା। ଦିଲ୍ଲୀକୁ ତୁରନ୍ତ ୫ଶହ ଆଇସୋଲେଶନ କୋଚ ଯୋଗାଇ ଦିଆଯିବ ବୋଲି ଶାହା କହିଥିଲେ। ଦିଲ୍ଲୀକୁ କରୋନା ମୁକ୍ତ କରିବାକୁ କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ସେ କହିଥିଲେ। ଏହାସହ ଟେଷ୍ଟ ପରିମାଣ ବୃଦ୍ଧି କରିବା, ଘର ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଆଦିକୁ ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଶାହାଙ୍କ ସହ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ,କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରମୁଖ ସାମିଲ ହୋଇଥିଲେ।

Share