କରୋନା ମୁକାବିଲା ପାଇଁ ବରିଷ୍ଠ ନାଗରିକଙ୍କୁ ପୁସ୍ତକ ବାଣ୍ଟିଲା ପୋଲିସ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ କରୋନା ମୁକାବିଲା ପାଇଁ ଟ୍ବିନସିଟିର ବିଭିନ୍ନ ଥାନା ଅଞ୍ଚଳରେ ପଞ୍ଜୀକୃତ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସମ୍ପର୍କରେ ଅଧିକ ସଚେତନ ଓ ସହାୟତା କରିବା ପାଇଁ ଫାଇଟ୍‌ ଏଗନେଷ୍ଟ କୋଭିଡ୍‌-୧୯ ନାମକ ପୁସ୍ତକ ପ୍ରସ୍ତୁତ କରାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବରିଷ୍ଠ ନାଗରିକମାନଙ୍କୁ ସମସ୍ତ ସୁବିଧା ହାତପାଆନ୍ତରେ ଯୋଗାଇବାକୁ ଉଦ୍ୟମ ଜାରି ରହିଥିବା କହିଛନ୍ତି। କରୋନା ବିରୋଧରେ ଯୁଦ୍ଧ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ସାହସ, ସଂଯମ, ଶୃଙ୍ଖଳା ଓ ଦାୟିତ୍ୱବୋଧ ଦେଖାଇବାକୁ ପଡିବ ବୋଲି ସେ ନିବେଦନ କରିଛନ୍ତି । ଶୁକ୍ରବାର ସାମାଜିକ ଦୂରତ୍ୱ ରକ୍ଷାକରି ପଞ୍ଜୀକୃତ ୨୫ ହଜାରରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ପୁସ୍ତକ ବଣ୍ଟନ କରାଯାଇଛି। ଏହି ପୁସ୍ତକରେ କରୋନା ସମ୍ପର୍କିତ ଜରୁରୀ ତଥ୍ୟ ରହିଛି। ବିଭିନ୍ନ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା, ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଟେଲିଫୋନ ନମ୍ବର ରହିଛି। କୌଣସି ସମସ୍ୟା ହେଲେ ସେମାନେ ସିଧାସଳଖ ପୋଲିସ ସହିତ ଯୋଗାଯୋଗ କରିପାରିବେ । ଏଥିସହିତ ଔଷଧ, ରାଶନ ସାମଗ୍ରୀ ପରି ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ଘରେ ବସି ମଗାଇ ପାରିବେ। ଲକ୍‌ଡାଉନ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କମିଶନରେଟ ପୋଲିସର ଏଭିଳି ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ପ୍ରସଂଶା କରିଛନ୍ତି।

Share