କରୋନା ମୁକାବିଲା ପାଇଁ ସାହି ଏକଜୁଟ

କଟକ ଅଫିସ,୧୧ା୪: ଏକଜୁଟ ହୋଇଛି ସାହି। ପ୍ରତ୍ୟେକ ଘର ଲୋକଙ୍କୁ କରୋନା ମୁକାବିଲାରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ନିୟମିତ ଭାବେ ପ୍ରତ୍ୟେକ ଘର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। କେଉଁ ପରିବାରରେ କ’ଣ ସମସ୍ୟା ରହିଛି ତାହାକୁ ସାହି ବାସିନ୍ଦା ଏକଜୁଟ ହୋଇ ସମାଧାନ କରିବାକୁ ଆଗେଇ ଆସୁଛନ୍ତି। କଟକ ଦରଘାପାଟଣା ଅନ୍ତର୍ଗତ ଗୋପେଶ୍ୱର ବିହାରରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। କରୋନା ଭାଇରସ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ କଟକର ଗୋପେଶ୍ୱର ବିହାର ବାସିନ୍ଦାଙ୍କ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ଭଲ ବାର୍ତ୍ତା ଦେବ। ଦରଘାପାଟଣା ଅନ୍ତର୍ଗତ ଗୋପେଶ୍ୱର ବିହାରରେ ୪୦ରୁ ଊର୍ଦ୍ଧ୍ୱ ପରିବାର ରୁହନ୍ତି। ବ୍ୟବସାୟୀ, ସରକାରୀ ଚାକିରିଆ ଅଧିକ ମାତ୍ରାରେ ଏହି ଯାଗାର ଅଧିବାସୀ। ଏହି ଅଞ୍ଚଳ କଟକ ମହାନଗର ନିଗମ(ସିଏମ୍‌ସି)ର ୱାର୍ଡ ନଂ-୫୭ରେ ରହିଛି। ତେବେ କରୋନା ଭାଇରସ ସଂକ୍ରମଣ ଯୋଗୁ ଲକଡାଉନ ଘୋଷଣା ହେବା ପରଠାରୁ ସ୍ଥାନୀୟ ବାସିନ୍ଦା ନିଜସ୍ବ ଶୈଳୀରେ ସଚେତନ ହୋଇଛନ୍ତି। ଅଞ୍ଚଳକୁ କେହି ବାହାରୁ ଆସୁନାହାନ୍ତି ବୋଲି ବାସିନ୍ଦା ପ୍ରସନ୍ନ ମହାନ୍ତି କହିଛନ୍ତି। ପ୍ରତ୍ୟେକ ପରିବାରକୁ ସାନିଟାଇଜର ବଣ୍ଟାଯିବା ସହ ନିଜସ୍ବ ଉଦ୍ୟମରେ ରାସ୍ତାଘାଟ ବିଶୁଦ୍ଧୀକରଣ କରାଯାଉଛି। ଶରତ ବେହେରା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଶ୍ୱଜିତ ମହାପାତ୍ର, ପୀତବାସ ସ୍ବାଇଁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଛନ୍ତି।

Share