କରୋନା ମୁକାବିଲା ପ୍ରସ୍ତୁତି: ରାଜ୍ୟ ବାହାର ଫେରନ୍ତାଙ୍କ ସୂଚନା ପାଉନି ସ୍ବାସ୍ଥ୍ୟ ବିଭାଗ

କଟକ ସଦର,୨୩।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ କଟକ ସଦର ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ବ୍ଲକ ଅଧୀନ ୨୩ଟି ପଞ୍ଚାୟତର ପ୍ରମୁଖ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟକ୍ୟାମ୍ପ ଖୋଲିବା ବ୍ୟବସ୍ଥା କରାଯାଇଛି। ହେଲେ ରାଜ୍ୟ ବାହାର ଫେରନ୍ତା ଲୋକମାନଙ୍କ ସୂଚନା ଠିକ୍‌ ସମୟରେ ସ୍ବାସ୍ଥ୍ୟ ବିଭାଗ ପାଉ ନ ଥିବା ସମ୍ପର୍କରେ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କାରଣ ଯେଉଁ ଲୋକମାନେ ନିଜ ଘରକୁ ଫେରି ଆସିଛନ୍ତି ସେମାନଙ୍କ ସବିଶେଷ ବିବରଣୀ ସ୍ଥାନୀୟ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦେବା ଲାଗି କୁହାଯାଇଥିଲା। ଏଥିରେ ସନ୍ତୋଷଜନକ ଅଗ୍ରଗତି ଘଟୁ ନ ଥିବା କଥା ସମ୍ପୃକ୍ତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କ ସ୍ବାସ୍ଥ୍ୟ ଉପରେ ୧୪ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ଦୃଷ୍ଟି ଦିଆଯିବା ପାଇଁ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ ହୋଇଛି। ଗତ ୧୯ ତାରିଖରେ ଏହି ବ୍ଲକର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ସଚେତନତା ବୈଠକରେ ସ୍ବାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିଶେଷକରି ସାହିରେ ଥିବା ବାହାର ଲୋକମାନଙ୍କ ଆଗମନ ସମ୍ପର୍କରେ ଜଣାଇବା ପାଇଁ ଓ୍ବାର୍ଡ ସଭ୍ୟାସଭ୍ୟ ଓ ସରପଞ୍ଚମାନଙ୍କୁ କୁହାଯାଇଥିଲା। ରବିବାର ସୁଦ୍ଧା ଅସ୍ଥାୟୀ ମେଡିକାଲ କ୍ୟାମ୍ପଗୁଡିକୁ ରଙ୍ଗ ଦିଆଯିବା କାର୍ଯ୍ୟ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା। ହେଲେ କେତେକ ସ୍ଥାନରେ ଲୋକମାନେ ଆତଙ୍କିତ ଥିବାରୁ ରଙ୍ଗମିସ୍ତ୍ରୀ କାମ କରିବା ପାଇଁ ରାଜି ହେଉ ନ ଥିବା କଥା ଆୟତ୍ତପୁର ସରପଞ୍ଚ କାନନ କୁମାରୀ ସାହୁ କହିଛନ୍ତି। ସେହିପରି ପ୍ରହରାଜପୁର ଅଞ୍ଚଳର ବହୁ ଲୋକ ବିଦେଶ ଓ ରାଜ୍ୟ ବାହାରରୁ ଫେରିଥିବା କାରଣରୁ ସେମାନଙ୍କ ନାମ ପଞ୍ଜୀକରଣ ପାଇଁ ଚେଷ୍ଟା କରାଯାଉଛି ବୋଲି ପ୍ରହରାଜପୁର ସରପଞ୍ଚ ରୂପସୀ ସାହୁ କହିଛନ୍ତି।

Share