କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲାପାଳ

ପୁରୀ ଅଫିସ/କୋଣାର୍କ (ଡି.ଏନ୍‌.ଏ.),୧୦ା୪: କରୋନା ମୁକାବିଲା ନେଇ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି କେମିତି ରହିଛି ତାହାର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ। ଗୁରୁବାର ଜିଲାପାଳ କରୋନା ସଚେତନତା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଗସ୍ତ କରିଥିଲେ। ପ୍ରଥମେ ଜିଲାପାଳ କାକଟପୁର ବାଙ୍ଗୁରିଙ୍ଗାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ କରୋନା ୱାର୍ଡ ବୁଲିଥିଲେ। ସେଠାରେ ଥିବା ବ୍ୟବସ୍ଥା ଓ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ପ୍ରତ୍ୟେକ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ବ୍ୟବହାର ବାଧ୍ୟତାମୂଳକ ସମ୍ପର୍କିତ ପରାମର୍ଶ ଦେଇଥିଲେ। ଅଧିକ ଗହଳି ହେଉଥିବା ହାଟ ବଜାରରେ ସାମାଜିକ ଦୂରତା ଏବଂ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁରୀ ଏବଂ ଜଗତ୍‌ସିଂହପୁର ମଧ୍ୟ ଜିଲା ସୀମା ସିଲ୍‌ ହୋଇଥିବା ଅଞ୍ଚଳ ଶିଖରଘାଟ ବୁଲି ଦେଖିଥିଲେ। ଏହାପରେ ଜିଲାପାଳ ଅସ୍ତରଙ୍ଗ ଯାଇଥିଲେ। ସେଠାରେ କରୋନା ମୁକାବିଲା ନିମନ୍ତେ ହୋଇଥିବା ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଲୋକମାନେ ଯେପରି ଠିକ୍‌ ଭାବେ ଲକ୍‌ଡାଉନ ନିୟମ ମାନିବେ ସେ ନେଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପରେ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ର ଯାଇ କରୋନା ମୁକାବିଲା ନିମନ୍ତେ ସେଠାକାର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଜିଲାପାଳ କୋଣାର୍କ ଶିଶୁ ଓ ମାତୃ ମଙ୍ଗଳ ହସ୍ପିଟାଲରେ ଖୋଲା ଯାଇଥିବା ଆଇସୋଲେଶନ ସେଣ୍ଟର ବୁଲି କାର୍ଯ୍ୟ ଅନୁଧ୍ୟାନ କରିବା ସହ କରୋନା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। କୋଣାର୍କ ମାଛ ମାର୍କେଟ ସିଲ ସମ୍ପର୍କରେ ଅବଗତ ହୋଇଥିଲେ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ପାଇଁ ସେ କହିଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲାପାଳ ଭବତାରଣ ସାହୁ, ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ସମ୍ପୃକ୍ତ ବିଡିଓ, ତହସିଲଦାର, ଥାନା ଅଧିକାରୀ, ମେଡିକାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।