କରୋନା ମୁକାବିଲା: ୩.୪୯ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ, ୨୨୧ଜଣଙ୍କ କୋଭିଡ୍‌ ଟେଷ୍ଟିଙ୍ଗ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର, ୨୫/୪(ଡିଏନଏ )- ଗଞ୍ଜାମ ଜ଼ିଲାରେ ଶୁକ୍ରବାର ସୁଦ୍ଧା ୧୦୭୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଛି। ଏଥିରୁ ୮୫୩ ଜଣଙ୍କ ରିପୋର୍ଟ ଆସିଥିବାବେଳେ କେହି ପଜିଟିଭ୍‌ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ ଆଉ ୨୨୧ ଜଣଙ୍କ ଟେଷ୍ଟିଂ ରିପୋର୍ଟ ଆସିବାକୁ ବାକି ରହିଛ।

କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜ଼ିଲା ପ୍ରଶାସନ ପକ୍ଷରୁ ସମସ୍ତ ଘରକୁ ଯାଇ ପରିବାରସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ଅଛି ସେ ନେଇ ସର୍ଭେ କରାଯାଉଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଏହି ଯାଞ୍ଚ କରାଯାଉଛି। ଏଥିପାଇଁ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଶିକ୍ଷକଙ୍କୁ ନେଇ ଗଠିତ ଟିମ ଘରକୁ ଘର ଯାଇ ଏ ସମ୍ପର୍କରେ ସର୍ଭେ କରୁଛନ୍ତି।

ଡିଆର୍‌ଡିଏ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶୁକ୍ରବାର ସୁଦ୍ଧା ଜିଲାର ୭ ଲକ୍ଷ ୯୦ ହଜାର ୨୦୬ ଘରକୁ ଯାଇ ପ୍ରଶାସନ ପକ୍ଷରୁ ଗଠିତ ଟିମ ସର୍ଭେ କରି ୩୩ ଲକ୍ଷ ୪୯ ହଜାର ୮୮୫ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚରା ଯାଇ ତଥ୍ୟ ସଂଗ୍ରହ କରାଯାଇଛି। ଜିଲାରେ ୯୪୩ ଜଣ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ ୩୪୫ ଜଣ ବିଭିନ୍ନ ଆଇସୋଲସନ ସେଣ୍ଟରରେ ଅଛନ୍ତି। ଶୁକ୍ରବାର ଲକ୍‌ଡାଉନ ନିୟମ ଉଲଂଘନ ନେଇ ୭ଟି ଗାଡି ଜବତ କରାଯାଇଥିବାବେଳେ ମାସ୍କ ପିନ୍ଧି ନ ଥିବା ନେଇ ୧୦୯୯ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି।

Share