Categories: ଖେଳ

କରୋନା ମୁକାବିଲା: ୮ କୋଟି ଲେଖାଏ ଦାନ କଲେ ମେସି, ଗୁଆର୍ଡିଲୋ

ବାର୍ସିଲୋନା,୨୫।୩- କରୋନା ଭାଇରସ ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହି ଭାଇରସ ଯୋଗୁ ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବାର୍ସିଲୋନା ଫରଓ୍ବାର୍ଡ ଲିଓନେଲ ମେସି ଓ ମାଞ୍ଚେଷ୍ଟର ସିଟି ମ୍ୟାନେଜର ପେପ ଗୁଆର୍ଡିଲୋ। ଦୁହେଁ ୧ ମିଲିୟନ ୟୁରୋ ଲେଖାଏ ଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ୮. ୨୬ କୋଟି ଟଙ୍କା। ଆର୍ଜେଣ୍ଟିନା ଷ୍ଟାର ମେସି ବାର୍ସିଲୋନାର ଏକ ମେଡିକାଲ କ୍ଲିନିକ ଓ ନିଜ ଦେଶର ଏକ ମେଡିକାଲ ସେଣ୍ଟରକୁ ଏହି ଅର୍ଥ ଦେଇଥିବା ମାର୍କା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଭାଇରସ ସହ ମୁକାବିଲା ପାଇଁ ମେସି ମେଡିକାଲ କ୍ଲିନିକକୁ ଦାନ କରିଛନ୍ତି। ତୁମ ସମର୍ଥନ ପାଇଁ ଧନ୍ୟବାଦ ବୋଲି ହସ୍ପିଟାଲ କ୍ଲିନିକ ପକ୍ଷରୁ ଟୁଇଟରରେ ଲେଖାଯାଇଛି। ପୂର୍ବତନ ବାର୍ସିଲୋନା ଖେଳାଳି ତଥା ମ୍ୟାନେଜର ଗୁଆର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେଶନ ଓ ମେଡିକାଲ କଲେଜ ଅଫ୍‌ ବାର୍ସିଲୋନା ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ଜରିଆରେ ଅର୍ଥ ଦାନ କରିଛନ୍ତି। ଗୁଆର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେଶନ ଜରିଆରେ ଏକ ନିୟୁତ ୟୁରୋ ଦାନ କରିଛନ୍ତି। ଏହି ଅର୍ଥ ସ୍ବାସ୍ଥ୍ୟ ସମ୍ପର୍କୀତ ସରଞ୍ଜାମ ଓ କରୋନା ଭାଇରସ ସହ ଲଢ଼େଇ ପାଇଁ ବିଭିନ୍ନ ଆବଶ୍ୟକ ବସ୍ତୁ କିଣାଯିବ। ଗୁଆର୍ଡିଲୋଙ୍କ ପୂର୍ବରୁ ଉକ୍ତ ଫାଇଣ୍ଡେଶନ ମାତ୍ର ୩ ଦିନରେ ୩୩ ହଜାର ୟୁରୋ ଆଦାୟ କରିଥିଲା। ଉଲ୍ଲେଖଥାଉ କି, ଚାଇନା ଓ ଇଟାଲି ପରେ ସ୍ପେନ କରୋନା ଦ୍ୱାରା ତୃତୀୟ ସର୍ବାଧିକ ପ୍ରଭାବିତ ହୋଇଥିଲା ଦେଶ। ଏପର୍ଯ୍ୟନ୍ତ ଦେଶରେ ୧୬୯୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୪୦ ହଜାର ପଜେଟିଭ ଅଛନ୍ତିି।

Share