କରୋନା ମୁକାବିଲା: ୮ ଘଣ୍ଟାରେ ସର୍ଜିକାଲ ମାସ୍କ୍‌;୨୪ ଘଣ୍ଟାରେ ଏନ୍‌-୯୫ ମାସ୍କ୍‌ ବଦଳାଇବା ଜରୁରୀ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନାରୁ ଦୂରେଇ ରହିବା ପାଇଁ ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ନିୟମିତ ଅନ୍ତରରେ ହାତ ଧୋଇବା, ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗାଇଡ୍‌ ଲାଇନ୍‌ରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ତେବେ କେଉଁ ମାସ୍କ୍‌ କେତେ ସମୟ ପର୍ଯ୍ୟନ୍ତ ସୁରକ୍ଷା ଦେବାକୁ ସକ୍ଷମ ସେ ନେଇ ପ୍ରାୟତଃ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ଧାରଣା ନାହିଁ। ସଂକ୍ରମିତଙ୍କ ଛିଙ୍କ, କାଶ, କଥାବାର୍ତ୍ତା ସମୟରେ ବାୟୁମଣ୍ଡଳକୁ ଆସୁଥିବା କ୍ଷୁଦ୍ର ଜଳକଣାରେ ଲକ୍ଷ ଲକ୍ଷ କରୋନା ଭୂତାଣୁ ରହିଥାଏ। ମାସ୍କ୍‌ ପିନ୍ଧିଲେ ଏହି କ୍ଷୁଦ୍ର ସଂକ୍ରମଣ ସୃଷ୍ଟିକାରୀ ଜଳକଣା ସୁସ୍ଥ ଲୋକଙ୍କ ନାଶା ରନ୍ଧ୍ରରେ ପ୍ରବେଶ କରି ପାରେ ନାହିଁ। ତେବେ ସର୍ଜିକାଲ ମାସ୍କ୍‌ ୬ରୁ ୮ଘଣ୍ଟା ପର୍ଯ୍ୟନ୍ତ ଏଭଳି ସୁରକ୍ଷା ଦେବାକୁ ସକ୍ଷମ ହୋଇଥାଏ। ସେହିପରି ଏନ୍‌-୯୫ ମାସ୍କ୍‌ ୨୪ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷା ଦିଏ ବୋଲି ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌ର ଡାକ୍ତର ମାଲା ଶ୍ରୀବାସ୍ତବ କୁହନ୍ତି। ଘରେ ତିଆରି କରାଯାଇଥିବା ମାସ୍କ୍‌କୁ ପ୍ରତିଦିନ ଧୋଇ ପିନ୍ଧାଯାଇପାରେ ବୋଲି ସେ କହିଛନ୍ତି।