କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନେଇ ପୁଣେରେ ରାଜନୀତି ଆରମ୍ଭ

ପୁଣେ, ୧୬।୬: କରୋନା ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଦେଶରେ ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। କରୋନା ମୃତକଙ୍କୁ ବହୁ କ୍ଷେତ୍ରରେ ପରିବାର ସଦସ୍ୟ ଛାଡ଼ି ଚାଲିଯାଉଥିବାରୁ ପୁଣେ ନଗର ନିଗମ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। କରୋନା ମୃତକଙ୍କ ଅନ୍ତିମ ସଂସ୍କାର ଯେଭଳି ସୁବିଧାରେ ହେବ ସେଥିପାଇଁ ପୁଣେ ନଗର ନିଗମ ପକ୍ଷରୁ ଏହାର ଦାୟିତ୍ୱ ୨ ମାସ ତଳେ ୩ଟି ସ୍ବେଚ୍ଛାସେବୀ ସଂଗଠନକୁ ଦେଇଥିଲେ। ହିନ୍ଦୁଙ୍କ ଅନ୍ତିମ ସଂସ୍କାର ଦାୟିତ୍ୱ ଏ.ଏସ୍‌.ଏଣ୍ଟ୍ରପାଇଜ୍‌କୁ ଦିଆଯାଇଥିଲା। ସେହିପରି ମୁସଲମାନଙ୍କ ସଂସ୍କାର ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆକୁ ଦିଆଯାଇଥିବାବେଳେ ଖ୍ରୀଷ୍ଟିଆନ୍‌ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଆଲ୍ଫା ସଂସ୍ଥାକୁ ଅର୍ପଣ କରାଯାଇଥିଲା। ଏସବୁ ସଂସ୍ଥା ମୃତକଙ୍କୁ ଭଲଭାବେ ସାନିଟାଇଜ କରିବା ପରେ ଆମ୍ବୁଲାନ୍ସକୁ ସାନିଟାଇଜ୍‌ କରି ମୃତଦେହକୁ ସଂସ୍କାର ପାଇଁ ନେଇଥାନ୍ତି। ତେବେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍‌ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆକୁ ରାଷ୍ଟ୍ରବିରୋଧୀ ବୋଲି କହି ଟୁଇଟ୍‌ କରିବା ପରେ ପୁଣେ ନିଗମ ପକ୍ଷରୁ ଏହାକୁ ମୃତଦେହ ଅନ୍ତିମ ସଂସ୍କାର ଲାଗି ଦିଆଯାଇଥିବା ଅନୁମତିକୁ ରଦ୍ଦ କରିଦେଇଛନ୍ତି। ଏବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବିରୋଧୀ ଶାସକ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି।

Share