କରୋନା ମୃତ୍ୟୁର ୫ ବଡ଼ କାରଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ତେବେ ସଂକ୍ରମିତଙ୍କ ମୃତ୍ୟୁର ୫ ବଡ଼ କାରଣ ସମ୍ପର୍କରେ ଏବେ ପ୍ରକାଶ ପାଇଛି। ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେଶନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଧିକ ସମୟ ବାହାରେ ବିତାଉଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ପୃଥିବୀରେ ବର୍ତ୍ତମାନ ସୁଦ୍ଧା ହୋଇଥିବା କରୋନା ମୃତକଙ୍କ ମଧ୍ୟରେ ୬୮ ପ୍ରତିଶତ ପୁରୁଷ ରହିଛନ୍ତି। କାରଣ ପୁରୁଷମାନେ ସାଧାରଣତଃ ଅଧିକ ସମୟ ବାହାରେ ବିତାଇଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ବୟସ୍କଙ୍କ ମୃତ୍ୟୁ ମଧ୍ୟ କରୋନ ସଂକ୍ରମଣ ଯୋଗୁ ଅଧିକ ହୋଇଛି। ୫୫ ପ୍ରତିଶତ ବୟସ୍କଙ୍କର ସଂକ୍ରମଣରେ ମୃତ୍ୟୁ ହୋଇଛି। ବୟସ ବଢ଼ିବା ସହିତ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ବୟସ୍କଙ୍କ କ୍ଷେତ୍ରରେ ନିଶ୍ୱାସପ୍ରଶ୍ୱାସ ସମସ୍ୟା ମଧ୍ୟ ସାଧାରଣତଃ ଅଧିକ ଦେଖାଦେଇଥାଏ। ସେହିପରି ଲିଭର-କିଡ୍‌ନୀ ଆଦି ସମସ୍ୟା ଭୋଗୁଥିବା କରୋନା ସଂକ୍ରମିତଙ୍କ ମୃତ୍ୟୁ ଅଧିକ ଘଟିଥିବା ଲଣ୍ଡନର ଇମ୍ପାରିୟଲ କଲେଜର ଶ୍ୱାସ ବିଭାଗ ପ୍ରଫେସର ଡ. ଫେନ୍‌ ଚୁଙ୍ଗ୍‌ ସୂଚନା ଦେଇଛନ୍ତି। ସେହିପରି ମେଦବହୁଳତା ଥିବା କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଏଭଳି ମୃତକଙ୍କ ସଂଖ୍ୟା ବ୍ରିଟେନ୍‌ରେ ଅଧିକ ରହିଛି। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ସଂକ୍ରମିତଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ମଧ୍ୟ ବେଶି ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share