କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତର, ପୋଲିସ ଉପରେ ପଥରମାଡ଼

ମୁରାଦାବାଦ,୧୫ା୪: ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଡାକ୍ତରୀ ଦଳର ଏକ୍‌ ଟିମ୍‌କୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ମୁରାଦାବାଦର ନାଗଫଣୀ ଥାନା ଅନ୍ତର୍ଗତ ହାଜି ନେକ ମସ୍‌ଜିଦ୍‌ ନିକଟସ୍ଥ ଅଞ୍ଚଳକୁ କରୋନା ଯାଞ୍ଚ ପାଇଁ ଯାଇଥିବା ଏକ ଡାକ୍ତରୀ ଦଳ ଉପରେ ସ୍ଥାନୀୟ ଲୋକ ପଥରମାଡ଼ କରିଛନ୍ତି। ଏଥିସହ ପୋଲିସ ଗାଡି ଓ ଆମ୍ବୁଲାନ୍ସକୁ ମଧ୍ୟ ଲୋକେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଏଥିରେ ଡାକ୍ତର ସମେତ ୩ ପୋଲିସ କର୍ମୀ ଆହତ ହୋଇଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ପୋଲିସ ୧୦ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଉକ୍ତ ଅଞ୍ଚଳର ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କ ମତ୍ୟୁ ହୋଇଥିଲା। ବୁଧବାର ମୃତକଙ୍କ ପରିବାର ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ସହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଦଳ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ହେଲେ ଏହି ସମୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଅପରପକ୍ଷେ ଏହି ଘଟଣାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Share