କରୋନା ଯୁଦ୍ଧରେ ବିଜୟୀ ହେଲେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ,୧୨।୫: ହିମାଚଳ ପ୍ରଦେଶରେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କେଏସ୍‌ ଜସଓ୍ବାଲ କରୋନା ଯୁଦ୍ଧରେ ବିଜୟୀ ହୋଇ କରୋନା ସହ ଲଢିବାକୁ ଅନ୍ୟମାନଙ୍କୁ ସାହାସ ଯୋଗାଇଛନ୍ତି। ଏପ୍ରିଲ ୨୭ରେ ସେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ନୂଆଦିଲ୍ଲୀର କୋଲମେଟ ହସ୍ପିଟାଲ(ଗଙ୍ଗାରାମ ହସ୍ପିଟାଲ ସହ ସହବଦ୍ଧ)ରେ ଭର୍ତ୍ତି କରାଯାଇଥିଲା। ଆଉ ମେ’୯ ତାରିଖରେ ତାଙ୍କର ରିପୋର୍ଟ ନେଗେଟିଭ ଆସିବା ସହ ସେ କରୋନା ମୁକ୍ତ ହୋଇଥିଲେ ବୋଲି ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ଉନାରେ ୧୯୩୨ ମସିହାରେ ଜନ୍ମ ନେଇଥିବା ଜସଓ୍ବାଲ ଏକ ଶୃଙ୍ଖଳିତ ଜୀବନ ଅତିବାହିତ କରନ୍ତି। ସେ ଦିନକୁ ୨ ଥର ଯୋଗ କରନ୍ତି। ଏହାସହ ତାଙ୍କର କୌଣସି ବଡ ଧରଣର ଶାରୀରିକ ସମସ୍ୟା ମଧ୍ୟ ନାହିଁ। ଏବେ ସେ ସୁସ୍ଥ ହେବା ପରେ ଈଶ୍ୱରଙ୍କୁ ତଥା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଛନ୍ତି। କରୋନା ଭାଇରସ ବିଶେଷ ଭାବେ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରୁଥିବା ବେଳେ ୮୮ବର୍ଷୀୟ ଜସଓ୍ବାଲଙ୍କ ସୁସ୍ଥତା ଡାକ୍ତରମାନଙ୍କ ପାଇଁ ମଧ୍ୟ ଖୁସିର ଖବର ବୋଲି ସେମାନେ କୁହନ୍ତି।

Share