କରୋନା ଯୁଦ୍ଧରେ ଭାରତ ଆଗରେ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୧୭।୪: ଭାରତ କରୋନା ଯୁଦ୍ଧରେ ଆଗରେ ରହିଛି ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ କହିଛନ୍ତି ଦେଶରେ ଯେଉଁ ପରିମାଣରେ କରୋନା ସଂକ୍ରମଣ ବଢି ଚାଲିଥିବା ବର୍ତ୍ତମାନ ଏହା ୪୦ ପ୍ରତିଶତ କମ୍‌ ହୋଇଛି। ଏହାସହ ୮୦ ପ୍ରତିଶତ ରୋଗୀ ଭଲ ମଧ୍ୟ ହୋଇଛନ୍ତି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧,୭୬୬ ଜଣ ସୁସ୍ଥ ହୋଇଥିବା ସେ ପ୍ରକାଶ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୭୬ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୧୧,୬୧୬ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୪୫୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏହାସହ ଅଗ୍ରଓ୍ବାଲ କହିଛନ୍ତି ଦେଶରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଆମପାଇଁ ଚିନ୍ତାର ବିଷୟ। ଆମକୁ ସବୁ ପରିସ୍ଥିତିରେ କରୋନା ସହ ଲଢିବାର ଅଛି। ଆଣ୍ଟି ବଡିଜକୁ ନେଇ କାମ ଆରମ୍ଭ କରାଯାଇଥିବା ବେଳେ ପ୍ଲାଜମା ମାଧ୍ୟମରେ ଚିକିତ୍ସା କରିବାକୁ ଚେଷ୍ଟା ଚାଲିଛି। ଦେଶରେ କୋଭିଡ-୧୯ ଦ୍ୱିଗୁଣା ହେବାକୁ ୩ ଦିନ ଲାଗୁଥିବା ବେଳେ ଏବେ ଏହା ୬.୨ ଦିନ ହୋଇଯାଇଥିବା ସେ କହିଛନ୍ତି। ଏହାସହ ୧୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡବଲିଂ ରେଟ୍‌ ଦେଶର ଡବଲିଂ ରେଟ୍‌ଠାରୁ କମ୍‌। ଏଗୁଡିକ ହେଲା କେରଳ, ଉତ୍ତରାଖଣ୍ଡ, ହରିୟାଣା, ହିମାଚଳପ୍ରଦେଶ, ଚଣ୍ଡିଗଡ଼, ଲଦାଖ, ପୁଡୁଚେରୀ, ଦିଲ୍ଲୀ, ବିହାର, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଆସାମ, ତ୍ରିପୁରା ଇତ୍ୟାଦି।

Share