କରୋନା ଯୁଦ୍ଧର ନାୟିକା ରମା : କର୍କଟ ଆକ୍ରାନ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶଂସା

ହିଞ୍ଜିଳିକାଟୁ,୧୪ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୋମବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଅଙ୍ଗନୱାଡ଼ି କେନ୍ଦ୍ର-୧ର କର୍ମୀ ରମା ସାହୁଙ୍କୁ ପ୍ରଶଂସା କରିଛନ୍ତି। ରମା କର୍କଟ ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଘର ଘର ବୁଲି ୨୦୧ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି। କଠିନ ପରିସ୍ଥିତିରେ କାର୍ଯ୍ୟ ଦକ୍ଷତା ନିମନ୍ତେ ରମାଙ୍କୁ କୋଭିଡ୍‌ -୧୯ ଯୁଦ୍ଧର ମହାନାୟିକା କୁହାଯାଇଛି।
୨୦୦୩ ମସିହାରୁ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ପାଇଥିବା ରମା ତାଙ୍କର କାର୍ଯ୍ୟ କୁଶଳତା ପାଇଁ ଗ୍ରାମରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨ ସନ୍ତାନଙ୍କ ଅକାଳ ବିୟୋଗ ପରେ ସେ ନିଜ ପୁତୁରା (ଭାଇଙ୍କ ପୁଅ)ଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି। କର୍କଟ ଆକ୍ରାନ୍ତ ହେବା ପରେ ୨୦୧୪ରୁ ସେ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଚିକିତ୍ସିତ ହୋଇ ଆସୁଛନ୍ତି। ସଂପ୍ରତି କୋଭିଡ୍‌ -୧୯ ମୁକାବିଲା ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସେ ନିଷ୍ଠାର ସହ ତୁଲାଇ ଆସୁଛନ୍ତି। ଆବଶ୍ୟକ ସୁରକ୍ଷା ସରଞ୍ଜାମ ପିନ୍ଧି ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଯେତେଦିନ ପର୍ଯ୍ୟନ୍ତ ପାରୁଛି ଜନସେବା କରିବି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଙ୍ଗନଓ୍ବାଡି କର୍ମୀ ରାମା। ରମା ଦିଦିଙ୍କ କାମ ପ୍ରତି ଆନ୍ତରିକତା ସ୍ବତନ୍ତ୍ର ବୋଲି ସିଡ଼ିପିଓ ଶୁଭଶ୍ରୀ ପାତ୍ର କହିଛନ୍ତି। ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର ଓ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ରମାଙ୍କ କାର୍ଯ୍ୟ ଶୈଳୀ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି। ।

Share