କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା ସଂକ୍ରମଣ ଯୋଗୁ ପ୍ରାୟ ୯୦ଟି ଦେଶରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ ଗଣମାଧ୍ୟମକୁ ମିଳୁଥିବା ବିଜ୍ଞାପନରେ ଅଚାନକ ହ୍ରାସ ଘଟିଛି। ଏହା ଗଣମାଧ୍ୟମ ଶିଳ୍ପର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିଜ୍ଞାପନ ପାଇଁ ମୁଖ୍ୟତଃ କମ୍ପାନୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ କମ୍ପାନୀଗୁଡ଼ିକରେ କାମ ବନ୍ଦ ରହିବା ଯୋଗୁ ଗଣମାଧ୍ୟମ ଶିଳ୍ପକୁ ବିଜ୍ଞାପନ ଆସିବା ବ୍ୟାହତ ହୋଇଛି। ରେଡିଓ ସମେତ ବିଭିନ୍ନ ଇଲୋକ୍ଟ୍ରିନିକ୍ସ୍‌ ମନୋରଞ୍ଜନ ଅବା ନ୍ୟୁଜ୍‌ ଚ୍ୟାନେଲ୍‌ର ଟିଆର୍‌ପି ଏହାଯୋଗୁ ବାଧାପ୍ରାପ୍ତ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଶୁଟିଂ ବନ୍ଦ ରହିଛି। ଫଳରେ ମନୋରଞ୍ଜନ ଚ୍ୟାନେଲରେ କୌଣସି ନୂଆ ଧାରାବାହିକ ପ୍ରସାରଣ କରିବା ସମ୍ଭବ ହୋଇପାରୁ ନାହିଁ। ଏହା ଯୋଗୁ ସମ୍ପୃକ୍ତ ଚ୍ୟାନେଲ ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରିଣ୍ଟ୍‌ ମିଡ଼ିଆ ଶିଳ୍ପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଆମେରିକା ଭଳି ବିକଶିତ ଦେଶରେ କରୋନା ଯୋଗୁ ବହୁ ଲୋକଙ୍କ ପାଖରେ ଖବରକାଗଜ ମଧ୍ୟ ପହଞ୍ଚିପାରି ନାହିଁ। ଦେଶର ୧୪୦୦ରୁ ଅଧିକ ସ୍ଥାନରେ ଖବର କାଗଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରତିଫଳନ ପୃଥିବୀର ବିଭିନ୍ନ ଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏପରି ସ୍ଥଳେ ସରକାରୀ ସହାୟତା ହିଁ ଏକମାତ୍ର ଭରସା ପାଲଟିଛି। ସମାଜ, ଦେଶ ତଥା ସରକାରଙ୍କ ପ୍ରତିଟି କାର୍ଯ୍ୟର ଜଗୁଆଳୀ ପାଲଟି ଥିବା ଗଣମାଧ୍ୟମ ଶିଳ୍ପ ପ୍ରତିଟି ଦେଶ ପାଇଁ ବେଶ୍‌ ଗୁରୁତ୍ୱ ବହନ କରିଥାଏ। ତେଣୁ କରୋନା ଭଳି ସଙ୍କଟ ଜନକ ସମୟରେ ସରକାର ଏହି ଶିଳ୍ପ ଲାଗି ସ୍ବତନ୍ତ୍ର ଘୋଷଣା କରିବାର ଆବଶ୍ୟକତା ଉପରେ ଅନ୍ତର୍ଜାତୀୟସ୍ତରରେ ଜୋର୍‌ ଦିଆଯାଉଛି।

Share