କରୋନା ଯୋଗୁ ଫିକା ପଡିଲା ବୌଦ୍ଧର ପ୍ରସିଦ୍ଧ ରାମଲୀଳା

ବୌଦ୍ଧ, ୨ା୪(ସ୍ବ.ପ୍ର):  ବୌଦ୍ଧ ଜିଲାର ଗଣପର୍ବ ରାମଲୀଳା କରୋନା ଯୋଗୁ ଫିକା ପଡିଛି। ରାମଲୀଳା ଯାତ୍ରା ଆୟୋଜନ ସମ୍ଭବ ନ ଥିବାରୁ ନାଟକ ପ୍ରଦର୍ଶନକୁ ବନ୍ଦ କରାଯିବା ସହିତ ନିରାଡମ୍ବର ଭାବରେ କେବଳ ପ୍ରଭୁଙ୍କ ରୀତିନୀତି ପାଳନ କରାଯିବାକୁ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗୁରୁବାର ପବିତ୍ର ରାମନବମୀ ଅବସରରେ ଯାତ୍ରା କମିଟି କର୍ମକର୍ତ୍ତା ପ୍ରତ୍ୟୁଷରୁ ମହାନଦୀରୁ ଜଳ ଆଣି କଳସ ସ୍ଥାପନା, ଅଖଣ୍ଡ ଦୀପ ସ୍ଥାପନ, ସଂକଳ୍ପ, ମନ୍ଦିରରେ ଧ୍ୱଜା ବନ୍ଧନ ଆଦି ପାରମ୍ପରିକ ନୀତି ପାଳନ କରିଥିଲେ। ସମସ୍ତ ଯାତ୍ରା କମିଟିର ସଦସ୍ୟ ପୂର୍ବାହ୍ନରେ ବ୍ରତ ଧାରଣ କରିଥିଲେ। ଗୋଟିଏ ସ୍ଥାନରେ ଏକତ୍ରିତ ହେବା ସମ୍ଭବ ନଥିବାରୁ ପ୍ରତ୍ୟେକ ସଦସ୍ୟ ନିଜ ଘରେ ବନବାସୀ ଆଚରଣରେ ତଳେ ଶୋଇବା, ଗୋଟିଏ ଓଳି ଅନ୍ନ ଭକ୍ଷଣ କରିବା ଆଦି ବିଧି ପାଳନ କରିବାକୁ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ରାମଲୀଳା ଯାତ୍ରା କମିଟି ସଭାପତି ମୃତ୍ୟୁଞ୍ଜୟ ମିଶ୍ର ପ୍ରକାଶ କରିଛନ୍ତି। ପ୍ରତିଦିନ ସକାଳୁ ମନ୍ଦିରରେ ଠାକୁରଙ୍କ ଲୀଳା ପାରାୟଣ କରାଯିବ ା ରାମନବମୀ ଅବସରରେ ସହରର ପ୍ରତ୍ୟେକ ପରିବାର ସନ୍ଧ୍ୟାରେ ନିଜ ନିଜ ଘର ଆଗରେ ଦୀପ ପ୍ରଜ୍ଜଳନ କରି ନିରାଡମ୍ବର ଭାବରେ ଉତ୍ସବ ମନାଇଥିଲେ। ରାମଲୀଳା ଯାତ୍ରା ପଡିଆକୁ ମଧ୍ୟ ଆଲୋକ ଓ ଦୀପ ଜଳାଇ ରୀତିନୀତି ପାଳନ ହୋଇଥିଲା।

Share