କରୋନା ଯୋଗୁ ୭ ବର୍ଷ ତଳେ ହଜିଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ

ଛପରା,୭।୪: କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିହାରର ଛପରା ଜିଲାରେ ଥିବା ଏକ ପରିବାର ପାଇଁ କିନ୍ତୁ ଖୁସିର ଖବର ନେଇ ଆସିଛି। ଛପରା ଭିଲେ ଥାନା ଅନ୍ତର୍ଗତ ପୈଗା ମିତ୍ରସେନ ଗାଁର ବାବୁଲାଲ ଦାସଙ୍କ ପୁଅ ଅଜୟ କୁମାର ଓରଫ ବିବେକ ଦାସ ୭ ବର୍ଷ ପୂର୍ବେ ଘରୁ କେଉଁଆଡେ ଚାଲି ଯାଇଥିବା ବେଳେ ଏବେ କିନ୍ତୁ କରୋନା ପାଇଁ ସେ ତାଙ୍କ ପରିବାର ନିକଟକୁ ଫେରି ଆସିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବିବେକ ୭ ବର୍ଷ ତଳେ ଘରୁ କେଉଁଆଡେ ଚାଲିଯିବା ସହ ଉତ୍ତରପ୍ରଦେଶ ପହଞ୍ଚିଥିଲେ। ହେଲେ ଘର ଲୋକ ବହୁ ଖୋଜାଖେଜି ପରେ ତାଙ୍କର କୌଣସି ସୂଚନା ପାଇ ନ ଥିଲେ। ହେଲେ ସେଠାରେ ସେ ଏକ ଅପରାଧ ମାମଲାରେ ଜେଲ୍‌ ଚାଲି ଯାଇଥିଲେ। ସୋମବାର ସକାଳେ ଉତ୍ତର ପ୍ରଦେଶ ପୋଲିସ ବିବେକଙ୍କୁ ଧରି ତାଙ୍କ ଗାଁରେ ପହଞ୍ଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କରୋନା କାରଣରୁ ଜେଲ୍‌ରେ ଥିବା କେତେଜଣ କଏଦୀଙ୍କୁ ପାରୋଲରେ ଛାଡି ଦିଆଯାଉଥିବା ବେଳେ ବିବେକଙ୍କୁ ମଧ୍ୟ ଉତ୍ତରପ୍ରଦେଶ ପୋଲିସ ତାଙ୍କ ଘରେ ଛାଡି ଦେଇଥିବାରୁ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିବା ଦେଖାଯାଇଛି।

Share