କରୋନା ଯୋଦ୍ଧାଙ୍କୁ ମିଳୁନି ଦରମା

ଅନୁଗୋଳ ଅଫିସ, ୧୯।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ୧୦୪ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ୩ ମାସ ହେଲା ଦରମା ମିଳିନାହିଁ। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ କାରଣରୁ ଏହି କରୋନା ଯୋଦ୍ଧାମାନେ ଆର୍ଥିକ ଅନଟନର ଶିକାର ହେଉଥିବା ଅଭିଯୋଗ ହେଉଛି। ଏ ନେଇ ଠିକାଦାରଙ୍କ ପାଖରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
କର୍ମଚାରୀମାନ କହିଛନ୍ତି ଯେ, ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଆଉଟ୍‌ସୋର୍ସିଂ ଭାବେ ଆଟେଣ୍ଡାଣ୍ଟ, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ ଓ ଡ୍ରାଇଭର ଆଦି ପଦବୀରେ ୧୦୪ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଦରମା ଦେବା ସମୟ ହେଲେ ଆଜି ଦିଆଯିବ, କାଲି ଦିଆଯିବ କହି କର୍ତ୍ତୃପକ୍ଷ ସମୟ ଗଡ଼ାଇ ଚାଲିଛନ୍ତି। ସରକାର ମେଡିକାଲ କର୍ମଚାରୀଙ୍କୁ ଆଗୁଆ ୩ ମାସର ଦରମା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିବା ବେଳେ ଅନୁଗୋଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଶେଷଥର ପାଇଁ ଏହି କର୍ମଚାରୀମାନଙ୍କୁ ୨୦୧୯ ଡିସେମ୍ବର ମାସର ଦରମା ଦିଆଯାଇଥିଲା। ଏହାପରଠାରୁ ୩ ମାସର ଦରମା ଏଯାଏ ପ୍ରଦାନ କରାଯାଉନାହିଁ। କରୋନାକୁ ନେଇ ସବୁଠି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଏପରି କର୍ମଚାରୀମାରଣ ନୀତି ଅତ୍ୟନ୍ତ ଉଦ୍‌ବେଗର ବିଷୟ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏ ନେଇ ଭାରପ୍ରାପ୍ତ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ଏଡିଏମ୍‌ଓ) ଡାକ୍ତର ଶ୍ୟାମ ପ୍ରସାଦ ଦାସ କହିଛନ୍ତି, ଦରମା ବାବଦ ଫାଇଲରେ ଦସ୍ତଖତ କରିସାରିଛି। ଖୁବ୍‌ଶୀଘ୍ର ସମ୍ପୃକ୍ତ କର୍ମଚାରୀମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ।

Share