କରୋନା ଯୋଦ୍ଧାଙ୍କୁ ସରପ୍ରାଇଜ ଗିଫ୍ଟ ଦେଲେ ଆଲିଆ

ମୁମ୍ବାଇ,୧୯।୫: କରୋନା ମହାମାରୀର ସଙ୍କଟ ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏମାନେ କିଛି କିଛି ସାହାଯ୍ୟ କରିଥିବା ଦେଖାଯାଇଛି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ଯୋଦ୍ଧାଙ୍କୁ ଏକ ସରପ୍ରାଇଜ ଗିଫ୍ଟ ଦେଇଥିବା ଜଣାପଡିଛି। ଯେଉଁଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଛି।

ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଏକ ଟୁଇଟ୍‌ କରି ଆଲିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ଆଲିଆ ପଠାଇଥିବା ସରପ୍ରାଇଜ ଗିଫ୍ଟର ଏକ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି। ଯେଉଁଥିରେ ରହିଛି ଏକ ଚକୋଲେଟ୍‌ ବାର୍‌, ସ୍ବିଟ ବନ୍‌, ଡ୍ରିଙ୍କ ସହ କିଛି ସ୍ନାକ୍ସ। ଏହାସହ ଉକ୍ତ ବକ୍ସରେ ଏକ କାଗଜରେ ଆଲିଆ ଲେଖିଛନ୍ତି, ‘ଧନ୍ୟବାଦ ଆପଣମାନେ ଯାହା ବି କରୁଛନ୍ତି ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖୁଛନ୍ତି। ଆପଣ ଅସଲ ହିରୋ।’ଏଥିପାଇଁ ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଆଲିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ଡାକ୍ତର ଲେଖିଛନ୍ତି କରୋନା ସଙ୍କଟ ସମୟରେ ଆପଣଙ୍କ ଏହି ସରପ୍ରାଇଜ ଗିଫ୍ଟ ଖୁବ୍‌ ନିଆରା। ଜଣାପଡିଛି କି ଏହି ସରପ୍ରାଇଜ୍‌ ଗିଫ୍ଟ ଆଲିଆ ମୁମ୍ବାଇରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦେଇଛନ୍ତି। ତାଙ୍କର ଏହି କାମ ପାଇଁ ପ୍ରଶଂସକମାନେ ଆଲିଆଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

 

Share