କରୋନା ଯୋଦ୍ଧାଙ୍କ ପାଇଁ ଗୀତ ଗାଇଲେ ମାଧୁରୀ

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଛି। ଏହି ସମୟରେ ଘରେଥିବା ଲୋକେ ସୁରକ୍ଷିତ ରହିଛନ୍ତି। କାରଣ କରୋନା ଯୋଦ୍ଧା ହସ୍ପିଟାଲରେ ଓ ରାସ୍ତା ଉପରେ ରହି ଆମକୁ ସୁରକ୍ଷା ଦେଉଛନ୍ତି। ଏହି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବଲିଉଡ୍‌ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କର ପ୍ରଥମ ଗୀତ ସମର୍ପିତ କରିଛନ୍ତି। ମାଧୁରୀଙ୍କ ଗୀତ ‘କ୍ୟାଣ୍ଡେଲ’ ଏବେ ସୋସିଆଲ ମିଡିଆରେ ରିଲିଜ ହୋଇଛି। ମାଧୁରୀ ଜଣେ ଭଲ ଅଭିନେତ୍ରୀ ଓ ଡ୍ୟାନ୍ସର ହୋଇଥିବା ବେଳେ ସେ ଯେ ଜଣେ ଭଲ ଗାୟିକା ତାହା ଏହି ଗୀତରୁ ଜଣାପଡିଛି। କିଛିଦିନ ତଳେ ତାଙ୍କ ଜନ୍ମଦିନ ଅବସରରେ ମାଧୁରୀ ଘୋଷଣା କରିଥିଲେ କି ତାଙ୍କ ଗୀତ କ୍ୟାଣ୍ଡେଲ ଖୁବ୍‌ଶୀଘ୍ର ରିଲିଜ୍‌ ହେବ। ଯାହାକି କରୋନା ଯୋଦ୍ଧାଙ୍କୁ ସମର୍ପିତ କରାଯାଇଛି। ଆଉ ଏହା ରିଲିଜ୍‌ ହେବା ପରେ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାଧୁରୀ ନିଜେ ଇନଷ୍ଟାଗ୍ରାମରେ ଏହି ଗୀତକୁ ଶେୟାର କରିବା ସହ ଲେଖିଛନ୍ତି, ଖୁସି ଲାଗୁଛି, ଉତ୍ସାହିତ ବି ଅଛି କିନ୍ତୁ ସାମାନ୍ୟ ନର୍ଭସ ବି ଲାଗୁଛି। ଏହା ମୋର ପ୍ରଥମ ଗୀତ ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ଫେସବୁକ ଓ ଇନଷ୍ଟାଗ୍ରାମରେ ଏହା ରିଲିଜ କରାଯାଇଛି, ଭାବୁଛି ଆପଣମାନଙ୍କୁ ଏହା ଭଲ ଲାଗିବ।


ଏହାକୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ ତଥା ମାଧୁରୀଙ୍କ ଜଣେ ଭଲ ବନ୍ଧୁ କରନ ଜୋହର ଏଥିପାଇଁ ଧକ୍‌ଧକ୍‌ ଗର୍ଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମାଧୁରୀଙ୍କ ଭଳି ଜଣେ ଟ୍ୟାଲେଣ୍ଟେଡ ବନ୍ଧୁ କ’ଣ ନ କରିପାରିବେ। କରନ ଆହୁରି ମଧ୍ୟ ଲେଖିଛନ୍ତି, ‘ଦ ଓ୍ବାର୍ଲଡ ଅଫ୍‌ ମ୍ୟୁଜିକ ଓ୍ବେଲକମ୍ସ ୟୁ ମାଧୁରୀ!’କ୍ରିସ୍‌ ଆକ୍ଟର ହ୍ରିତିକ ରୋଶନ ମଧ୍ୟ ଏହି ଗୀତ ଶୁଣିବା ପରେ ମାଧୁରୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

Share