କରୋନା ଯୋଦ୍ଧାଙ୍କ ପିପିଇ ଅସୁରକ୍ଷିତ

ବେଜିଂ,୩।୫: ମହାମାରୀ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଅନିବାର୍ଯ୍ୟ। ଏହାଦ୍ୱାରା ସେମାନେ ଚିକିତ୍ସା କରିବାବେଳେ ନିଜେ କରୋନା ସଂକ୍ରମଣରୁ ରକ୍ଷା ପାଇବେ। ହେଲେ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପିପିଇ ୧୦୦% ସୁରକ୍ଷିତ ନୁହେଁ। ମାସ୍କ, ଗଗଲ୍ସ, ଫେସ୍‌ ସିଲ୍ଡ, ପ୍ରୋଟେକ୍ଟିଭ ଗାଉନ୍‌ ଆଦି ପିପିଇ ଦ୍ୱାରା ଗୁରୁତର ଚର୍ମରୋଗ ସୃଷ୍ଟି ହୋଇପାରେ। ୪୨.୮% ମେଡିକାଲ ଷ୍ଟାଫଙ୍କ ଚର୍ମରେ ପିପିଇ ଦ୍ୱାରା ଗମ୍ଭୀର କ୍ଷତ ହୋଇଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି। ଚାଇନା ଗବେଷକମାନଙ୍କ ଦ୍ୱାରା ଉକ୍ତ ଅଧ୍ୟୟନ ରିପୋର୍ଟ ଏକ ପତ୍ରିକା ‘ଆଡ୍‌ଭାନ୍ସେସ୍‌ ଇନ୍‌ ଓ୍ବାଉଣ୍ଡ କେୟାର’ରେ ପ୍ରକାଶ ପାଇଛି। ସେଥିରେ ଗବେଷକମାନେ କହିଛନ୍ତି ଯେ, ଚର୍ମରେ ଯେଉଁ କ୍ଷତ ସୃଷ୍ଟି ହେଉଛି ତାହାଦ୍ୱାରା ମେଡିକାଲ ଷ୍ଟାଫଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ବଢ଼ାଉଛି। କାରଣ ଏହାକୁ ଏଡାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଏବଂ ଚିକିତ୍ସାର ଅଭାବ ରହିଛି। ଆମେ ମେଡିକାଲ ଷ୍ଟାଫ୍‌ ବ୍ୟବହାର କରୁଥିବା ପିପିଇର ବିଶେଷତା, ନିବାରକ ସ୍ଥିତି ଓ ଚର୍ମରେ କେତେମାତ୍ରାରେ କ୍ଷତ ସୃଷ୍ଟି ହେଉଛି ତାହା ଯାଞ୍ଚ କରିଥିଲୁ। ଏଥିପାଇଁ ଫେବୃୟାରୀ ୮ରୁ ୨୨ ମଧ୍ୟରେ କରୋନା ଯୋଦ୍ଧା ସାଜିଥିବା ମେଡିକାଲ ଷ୍ଟାଫ୍‌ମାନଙ୍କୁ ନେଇ ଏକ ଅନ୍‌ଲାଇନ ସର୍ଭେ କରିଥିଲୁ। ସେମାନେ ଫୋନ ମାଧ୍ୟମରେ ସ୍ବେଚ୍ଛାକୃତ ଭାବେ ଆମ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୨.୮% ଜଣଙ୍କ ଚର୍ମରେ ପିପିଇ ଦ୍ୱାରା ଚାପ ପଡ଼ିବା, ଆର୍ଦ୍ରତା ସୃଷ୍ଟି ହେବା ଏବଂ କଟି କ୍ଷତ ହେବା ଭଳି ୩ ପ୍ରକାରର ଆଘାତ ଲାଗିଛି ବୋଲି ଗବେଷକମାନେ କହିଛନ୍ତି। ଚର୍ମରେ ଆଘାତ ଲାଗିବାର ଏକାଧିକ କାରଣ ରହିଛି। ବିଶେଷକରି ପିପିଇକୁ ଅଧିକ ସମୟ ପିନ୍ଧିବା, ଅତ୍ୟଧିକ ଝାଳ ବାହାରିବା ଏବଂ ଗ୍ରେଡ୍‌-୨ ବଦଳରେ ଗ୍ରେଡ୍‌-୩ ପିପିଇ ବ୍ୟବହାର ଦ୍ୱାରା ଚର୍ମ ନଷ୍ଟ ହେବାର ଆଶଙ୍କା ବଢ଼ିଥାଏ।

Share