କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ

ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା ପ୍ରଦାନ କରି କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଆଉ ଏହି ସମସ୍ତଙ୍କୁ ସାରା ଦେଶର ଲୋକମାନେ ବିଭିନ୍ନ ଢ଼ଙ୍ଗରେ ଧନ୍ୟବାଦ ଜଣାଉଛନ୍ତି। କିଏ ଫୁଲ ବର୍ଷା କରୁଛି ତ ଆଉ କିଏ ତାଳି ମାରି ସମ୍ମାନ ଦେବା ସହ ସେମାନଙ୍କର ଉତ୍ସାସ ବଢ଼ାଉଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌ ସୀମାରେ ସ୍ଥିତ ମଲିହାବାଦର ପଦ୍ମଶ୍ରୀ କଲିମୁଲ୍ଲାହ ଡାକ୍ତର ଓ ପୋଲିସଙ୍କୁ ନିଆରା ଅନ୍ଦାଜରେ ଧନ୍ୟବାଦ ଜଣାଇଛନ୍ତି। ସୂଚନା ମୁତାବକ ମଲିହାବାଦ ସମଗ୍ର ବିଶ୍ୱରେ ଆମ୍ବ ପାଇଁ ବେଶ୍‌ ଜଣାଶୁଣା।

ଆଉ ନୂତନ କିସମର ଆମ୍ବ ଉତ୍ପାଦନ କରିବା ପାଇଁ କଲିମୁଲ୍ଲାହ ମଧ୍ୟ ବିଶ୍ୱରେ ପ୍ରସିଦ୍ଧ। ଚଳିତ ଥର ସେ ୨ଟି କିସମର ଆମ୍ବ ଉତ୍ପାଦନ କରିଥିବା ବେଳେ ଏହାର ନାଁ ଡାକ୍ତର ଓ ପୋଲିସ ରଖିଛନ୍ତି। ଏଭଳି ନାଁ ରଖିବା ପଛରେ ଏକ କାରଣ ରହିଛି। ଯେତେବେଳେ ଡାକ୍ତର ଓ ପୋଲିସ ନାମକ ଆମ୍ବ ଖାଇବେ ସେତେବେଳେ ଲୋକମାନେ ସେମାନଙ୍କର ବଳିଦାନକୁ ମନେପକାଇବେ ବୋଲି କଲିମୁଲ୍ଲାହ କହିଛନ୍ତି। ଚଳିତ ଥର ତ ନୁହେଁ କିନ୍ତୁ ଖୁବ୍‌ଶୀଘ୍ର ଏହି ଆମ୍ବ ବଜାରରେ ଉପଲବ୍ଧ ହେବ। ଆମର ଆଗାମୀ ପିଢ଼ି ଏହାକୁ ଖାଇବା ପରେ ଜାଣିବାକୁ ପାଇବେ ଯେ, କରୋନା ଯୁଗରେ ଡାକ୍ତର ଓ ପୋଲିସ କିଭଳି ନିଜର ବଳିଦାନ ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କଲିମୁଲ୍ଲାହ କେତେକ ଖେଳାଳି, ନେତା ଓ ବଲିଉଡ୍‌ ସେଲିବ୍ରିଟିଙ୍କ ନାମରେ ଆମ୍ବ ଉତ୍ପାଦନ କରିଥିବା ଜଣାପଡ଼ିଛି। ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କ ନାମରେ ଆମ୍ବ ଉତ୍ପାଦନ କରିଥିଲେ।

Share