କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ସଂକ୍ରମଣ ନିରୋଧୀ ୩ ଶହ ପିପିଇ ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୪- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାକୁ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩ ଶହଟି ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁଭମେଣ୍ଟ (ପିପିଇ) ପ୍ରଦାନ କରାଯାଇଛି । ରିଜିଓନାଲ ସେଣ୍ଟର ଫର୍‌ ଡେଭଲମେଣ୍ଟ କୋପରେଶନ୍‌ (ଆରସିଡିସି) ଏବଂ ଫାଉଣ୍ଡେସନ୍‌ ଅଫ୍‌ ଇକୋଲଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌) ତରଫରୁ ପ୍ରୋଗ୍ରାମ ଅଫିସର କୁଳମଣି ସାହୁ ୩ ଶହଟି ପିପିଇକୁ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନାରାୟଣ ଥନାପତିଙ୍କୁ ପ୍ରଦାନ କରିଥିଲେ । କରୋନା ମହାମାରୀ ସମୟରେ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌ଙ୍କୁ କରୋନା ଯୋଦ୍ଧାଭାବେ ଅଭିହିତ କରାଯାଇ ସେମାନଙ୍କ ମନୋବଳ ବଢ଼ାଇବାକୁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଗଲାବେଳେ ଡାକ୍ତର, ନର୍ସ ଓ ପାରମେଡିକାଲ ଷ୍ଟାଫ୍‌ଙ୍କୁ ସଂକ୍ରମଣରୁ ଏଇ ପିପିଇ ଅନେକାଂଶରେ ସୁରକ୍ଷା ଦେବ ବୋଲି କୁହାଯାଉଛି । ଏଣୁ ଏହା ଡାକ୍ତର ଓ ପାରମେଡିକାଲ ଷ୍ଟାଫ୍‌ ପାଇଁ ଅତ୍ୟନ୍ତ ଜରୁରି ହୋଇପଡିଛି । ଆରସିଡିସି ଓ ଏଫ୍‌ଇଏସ୍‌ ତରଫରୁ ପିପିଇ ପ୍ରଦାନ କରାଯାଇଥିତ୍ବାରୁ ସିଡିଏମ୍‌୍ଓ ଡା ଥନାପତି ଆରସିଡିସି ପ୍ରୋଗ୍ରାମ ଅଫିସର ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ ।

Share