କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଆୟୁଷ ଡାକ୍ତର ପ୍ରତିନିଧି ଦଳର ଦାବି

ଲୋଇସିଂହା,୨୧।୫(ଡି.ଏନ.ଏ.): ମହାମାରୀ କରୋନା ମୁକାବିଲାରେ ଆୟୁଷ ଡାକ୍ତରମାନେ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି। ଏଥି ସହିତ ଡାକ୍ତରଙ୍କ ପାଇଁ ଘୋଷଣା ହୋଇଥିବା କୌଣସି ଯୋଜନାରେ ସେମାନଙ୍କୁ ସାମିଲ କରିନାହାନ୍ତି। ଏ ନେଇ କ୍ଷୋଭ ପ୍ରକାଶ କରିଛି ବଲାଙ୍ଗୀର ପିଏଚସି ଓ ସିଏଚସିର କାର୍ଯ୍ୟରତ ଆୟୁଷ ଡାକ୍ତର ସଂଘ। ସଂଘର ଏକ ପ୍ରତିନିଧିଦଳ ଏହି ମର୍ମରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ତାଙ୍କ ନଅଗଁା(ଖ) ସ୍ଥିତ କାର୍ଯ୍ୟାଳୟରେ ଭେଟି ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି। ସଂଘର ଡା. ନାରାୟଣ କାଣ୍ଡି, ଡା. ସୁଚରିତା ସାମଲ, ଡା. ଶୁଚିସ୍ମିତା ମହାନ୍ତି, ଡା. ରଶ୍ମିତା ପଧାନ, ଡା. ଲଳିତ କୁମାର ସାହୁ ପ୍ରମୁଖ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Share