କରୋନା ରିପୋର୍ଟକୁ ଅପେକ୍ଷା: ହସ୍ପିଟାଲରେ ଏପ୍ରିଲ୍‌ ୨୬ଠାରୁ ପଡ଼ି ରହିଛି ମୃତଦେହ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ଏବେ ଯେକୌଣସି କାରଣରୁ ମୃତ୍ୟୁ ଘଟିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ କରୋନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ଜଣାପଡ଼ିଲା ପରେ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି। ଏଭଳି ଏକ ଘଟଣା ଦିଲ୍ଲୀର ରୋହିଣୀ ଅଞ୍ଚଳର ଖେରା ଖୁର୍ଦ ଅଞ୍ଚଳରେ ଘଟିଛି। ଏଠାରେ ବାସ କରୁଥିବା ୬୫ ବର୍ଷ ବୟସ୍କ ସୁବେ ସିଂଙ୍କର ଏପ୍ରିଲ୍‌ ୨୪ ରାତିରେ ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିଥିଲା। ତାଙ୍କୁ ଏପ୍ରିଲ୍‌ ୨୫ରେ ବାବା ସାହେବ ଭୀମରାଓ ଆମ୍ବେଡ଼କର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏପ୍ରିଲ୍‌ ୨୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ନମୁନା କରୋନା ପରୀକ୍ଷା ପାଇଁ ପଠାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ରିପୋର୍ଟ ଆସିବା ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରିପୋର୍ଟ ନ ଆସିିବାରୁ ସୁବେ ସିଂଙ୍କର ମୃତଦେହ ହସ୍ପିଟାଲରେ ପଡ଼ିରହିଛି। ପରିବାର ସଦସ୍ୟଙ୍କ ଚିନ୍ତା ଏବେ ବଢ଼ିବାରେ ଲାଗିଛି। ଯଦି ରିପୋର୍ଟ କରୋନା ପଜିଟିଭ୍‌ ଆସେ ତେବେ ସମସ୍ୟା ବଢ଼ିଯିବ। ପୂର୍ବରୁ ରିପୋର୍ଟ ମିଳିଥିଲେ ହୁଏତ ସଂକ୍ରମଣ ଅଧିକ ହୋଇ ପାରି ନ ଥାନ୍ତା ବୋଲି ପରିବାର ସଦସ୍ୟ କହିଛନ୍ତି।

Share