କରୋନା ରିଲିଫ୍‌ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର

ବର୍ଲିନ୍‌,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍‌ ପାଣ୍ଠିକୁ ଦାନ ମଧ୍ୟ ଦେଉଛନ୍ତି। ଏହି ଅର୍ଥ କରୋନା ଲଢ଼େଇରେ ବିନିଯୋଗ ହେବ। ଯାହାଦ୍ୱାରା ସମାଜର ହିତ ସାଧନ ହୋଇପାରିବ। କିନ୍ତୁ କେତେକ ଅପରାଧୀ ଏଭଳି ସଙ୍କଟ ଜନକ ସ୍ଥିତିରେ ମଧ୍ୟ ସହାୟତା ପାଣ୍ଠିକୁ ଲୁଟି ନେଉଛନ୍ତି। ଏପରି ଏକ ଘଟଣା ଜର୍ମାନୀର ନର୍ଥ ରାଇନ୍‌-ଓ୍ବେଷ୍ଟଫେଲିଆ ପ୍ରଦେଶରେ ଘଟିଛି। ଏଠାକାର ସରକାରୀ ଓ୍ବେବସାଇଟ୍‌ର କରୋନା ରିଲିଫ୍‌ ପାଣ୍ଠିରୁ କେତେକ ହ୍ୟାକର ୨୬୧ କୋଟି ଟଙ୍କା ଲୁଟି ନେଇଛନ୍ତି। ହ୍ୟାକର ସରକାରୀ ଓ୍ବେବସାଇଟ୍‌ର ଏକ କପି ପ୍ରସ୍ତୁତ କରି ଏହାକୁ ଫିଶିଙ୍ଗ ଆଟାକ୍ସ୍‌ରେ ସଂଯୁକ୍ତ କରି ଏହାଦ୍ୱାରା ଇ-ମେଲ୍‌ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ। ହଜାର ହଜାର ବ୍ୟବହାର କର୍ତ୍ତାଙ୍କୁ ଏହା ପ୍ରେରଣ କରାଯାଇଥିଲା। ପରେ ରିଲିଫ୍‌ ପାଣ୍ଠିକୁ ଅନ୍ୟ ଏକ ଆକାଉଣ୍ଟ୍‌କୁ ସ୍ଥାନାନ୍ତର କରିଥିବା ତଦନ୍ତକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଟଙ୍କା ଲୁଟ୍‌ ହେଉଥିବା ନେଇ ସରକାରଙ୍କୁ କୌଣସି ଖବର ମିଳିପାରି ନ ଥିଲା। ୫୭୬ ରିପୋର୍ଟ ସରକାରୀ ଓ୍ବେବସାଇଟ୍‌କୁ ଆସିବା ପରେ ଲୁଟ୍‌ ସମ୍ପର୍କରେ ସରକାର ଜାଣିଥିଲେ। ଏହାପରେ ଏପ୍ରିଲ୍‌ ୯ଠାରୁ ଏହି ଓ୍ବେବସାଇଟ୍‌କୁ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ଲୁଟ୍‌ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇଥିବା ତଦନ୍ତକାରୀ ଦଳ କହିଛନ୍ତି। କରୋନା ସହାୟତା ପାଇଁ ଲୋକଙ୍କ ପାଖକୁ ୩୮୦,୦୦୦ ଅନୁରୋଧ କରାଯାଇଥିବା ଇ-ମେଲ୍‌ ପ୍ରେରଣ କରାଯାଇଥିଲା। ସେଥିମଧ୍ୟରୁ ୩୬୦,୦୦୦ ଜଣ ରିଲିଫ୍‌ ପାଣ୍ଠିକୁ ଦାନ କରିଥିଲେ ବୋଲି ତଦନ୍ତକାରୀ ଦଳ ସୂଚନା ଦେଇଛନ୍ତି।

Share