କରୋନା ଲକ୍‌ଡାଉନ୍‌: ମହିଳା ଶ୍ରମିକଙ୍କ ଦୁର୍ଦ୍ଦଶା ବଢୁଛି

ବଲାଙ୍ଗୀର ଅଫିସ, ୧ା୪: ଲକ୍‌ଡାଉନ୍‌ ସମୟରେ ଗରିବଙ୍କ ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏବେ ସେମାନେ ମହା ଅଡୁଆରେ ପଡିଛନ୍ତି। ବିଶେଷକରି ମହିଳା ଶ୍ରମିକମାନେ ଘୋର ଅସୁବିଧାରେ ପଡିଛନ୍ତି। ଯେଉଁ ମହିଳାମାନେ କାମ କରି ପରିବାର ଚଲାଉଥିଲେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡିଛି। ବଲାଙ୍ଗୀର ସହରର ରାଜୀବନଗରର ଶିବ ବିଶି (୬୫) ଜଣେ ଭିନ୍ନକ୍ଷମ। ଗୋଡରେ ଅସୁବିଧା ଯୋଗୁଁ ସେ ଚାଲିପାରନ୍ତି ନାହିଁ। ତାଙ୍କ ସ୍ତ୍ରୀ ଯଜ୍ଞ ଦିନମଜୁରିଆ ଭାବେ କାମ କରି ଭିନ୍ନକ୍ଷମ ସ୍ବାମୀ ଓ ପରିବାର କଥା ବୁଝନ୍ତି।ସ୍ବାମୀଙ୍କ ଭତ୍ତାକାର୍ଡରେ ୨ ହଜାର ଟଙ୍କା ପାଇଥିଲେ। ସେଥିରୁ ଋଣର ସୁଧ ବାବଦକୁ ୪ଶହ ଟଙ୍କା ପରିଶୋଧ କରିଦେଲେ। ସେମାନଙ୍କ ପିଡିଏସ୍‌ କାର୍ଡଟି ବନ୍ଧକ ପଡିଛି। ଏବେ ୭ ଦିନ ହେଲା ଲକ୍‌ଡାଉନ୍‌ କାରଣରୁ ଘରେ ରହିଛନ୍ତି। ସେହିପଡାର ଭୁବନ ନାଗ (୫୫) ମଧ୍ୟ ଜଣେ ଭିନ୍ନକ୍ଷମ। ତାଙ୍କ ଆଖିକୁ ଦେଖାଯାଏନାହିଁ। ଗୋଟିଏ ଆଖି ଅସ୍ତ୍ରୋପଚାର କରିଛନ୍ତି। ତାଙ୍କୁ ଭତ୍ତା ମିଳେନାହିଁ। ତାଙ୍କ ସ୍ତ୍ରୀ କେତକୀ ନାଗଙ୍କ ଭରସାରେ ତାଙ୍କ ପରିବାର ଚଳେ। ଘରେ ୧୩ ବର୍ଷର ପୁଅ ଅଛି। ରାସନ କାର୍ଡରେ ଚାଉଳ ମିଳେ। ସବୁ ଚାଉଳ ସରିଗଲାଣି।ଲକ୍‌ଡାଉନ୍‌ ଯୋଗୁଁ କେତକୀ ମଧ୍ୟ କାମ କରି ଯାଇପାରୁ ନାହାନ୍ତି। ଏହି ଦୁଇ ଭିନ୍ନକ୍ଷମ ପରିବାରଙ୍କ ନିଜଘର ନାହିଁ। ଭଡାଘରେ ରହୁଛନ୍ତି। ଉଭୟ ପରିବାର ଏବେ ଦୁଇଓଳି ଭଲକରି ଖାଇବାକୁ ପାଉନଥିବା ଜଣାଇଛନ୍ତି। ଏଭଳି ସ୍ଥିତିରେ ଏହି ମହିଳା ଶ୍ରମିକମାନେ ଘୋର ଚିନ୍ତାରେ ପଡିଛନ୍ତି। ଏଭଳି ଅନେକ ଗରିବ ପରିବାର ଆଗାମୀ ୧୪ ଦିନର ଲକ୍‌ଡାଉନ୍‌ କିଭଳି ସମ୍ଭାଳିବେ ତାହା ବଡ ପ୍ରଶ୍ନ ଭାବେ ଉଭା ହୋଇଛି।

Share