କରୋନା ଲଢ଼େଇରେ ବିଜୟୀ ହେଉଛନ୍ତି ଯୋଦ୍ଧା: ଯବାନଙ୍କ ସୁସ୍ଥ ହାର ୭୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ, ୯।୬: କରୋନା ମହାମାରୀ ଯୋଗୁ ଭାରତୀୟ ସେନାରେ ମଧ୍ୟ ସଙ୍କଟ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଯବାନମାନେ ବିଜୟୀ ହେବାରେ ଲାଗିଛନ୍ତି। ଆକ୍ରାନ୍ତ ଯବାନଙ୍କ ସୁସ୍ଥ ହେବାର ହାରାହାରି ହାର ୭୦ ପ୍ରତିଶତରୁ ଅଧିକ ରହିଥିବା କୁହାଯାଉଛି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ୍‌)ରେ ୧୬୦୦ରୁ ଅଧିକ ଯବାନ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ସୁସ୍ଥ ହୋଇ ସାରିଛନ୍ତି। ସେହିପରି ଜୁନ୍‌ ୬ ସୁଦ୍ଧା ଆଇଟିବିପିର ଯବାନଙ୍କ ସୁସ୍ଥ ହେବା ହାର ୮୭.୮୯ ପ୍ରତିଶତ ରହିଛି। ଆଇଟିବିପିର ୯୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ଭାରତ-ତିବ୍ବତ ସୀମାରେ ମୁତୟନ ରହିଛନ୍ତି। ବିଏସ୍‌ଏଫ୍‌ ଯବାନଙ୍କ ମଧ୍ୟରେ ସୁସ୍ଥ ହେବା ହାର ୮୨.୯୪ ପ୍ରତିଶତ ରହିଛି। ଅଢ଼େଇ ଲକ୍ଷ ବିଏସ୍‌ଏଫ୍‌ ଯବାନ ଦେଶ ସୁରକ୍ଷା ଲାଗି ସୀମାରେ ମୁତୟନ ରହିଛନ୍ତି। ଏନ୍‌ଏସସି ଏବଂ ଏନଡ଼ିଆର୍‌ଏଫ୍‌ର ୧୬୬୮ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ସୁସ୍ଥ ହେବା ହାର ମଧ୍ୟ ୭୦ ପ୍ରତିଶତ ରହିଛି। ଅପରପକ୍ଷରେ ସିଆର୍‌ପିଏଫ୍‌ ଏବଂ ସିଆଇଏସ୍‌ଏଫ୍‌ ଯବାନଙ୍କ ସୁସ୍ଥ ହେବା ହାର ଯଥାକ୍ରମେ ୬୮.୮୬ ଏବଂ ୫୮.୯୨ ପ୍ରତିଶତ ରହିଛି। କରୋନ ଆକ୍ରାନ୍ତ ଯବାନଙ୍କ ମୃତ୍ୟୁ ହାର ୦.୫୯ ପ୍ରତିଶତ ଥିବା କୁହାଯାଉଛି।

Share