କରୋନା ଲଢ଼େଇରେ ସଫଳତା: ସଂକ୍ରମିତଙ୍କୁ ରେମ୍‌ଡିସିଭିର୍‌ ଔଷଧ ଦେଲେ ପଡୁନି ଭେଣ୍ଟିଲେଟରର ଆବଶ୍ୟକତା

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଆମେରିକାରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଇଥିବା ରେମ୍‌ଡିସିଭିର୍‌ ଔଷଧର ପ୍ରୟୋଗ ବେଶ୍‌ ସଫଳ ରହିଛି। ରେମ୍‌ଡିସିଭିର୍‌ ଦିଆଯାଇଥିବା ସଂକ୍ରମିତଙ୍କୁ ଆଉ ଭେଣ୍ଟିଲେଟରକୁ ଯିବାକୁ ପଡୁ ନ ଥିବା କୁହାଯାଉଛି। କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହି ଔଷଧ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରୁଛିି। ସଂକ୍ରମିତ ସୁସ୍ଥ ହୋଇ ୧୦ରୁ ୧୪ ଦିନ ମଧ୍ୟରେ ଘରକୁ ଫେରୁଥିବା କୁହାଯାଉଛି। ଏହି ଆଣ୍ଟି ଭାଇରାଲ ଔଷଧର ଉପଯୋଗ କରୋନା କ୍ଷେତ୍ରରେ ବେଶ୍‌ ସଫଳ ରହିଥିବା ଆମେରିକାର ଆଲର୍ଜି ଏବଂ ସଂକ୍ରାମକ ରୋଗ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ବିଶେଷଜ୍ଞ ଆନ୍ଥୋନୀ ଫାଉଚି ସୂଚନା ଦେଇଛନ୍ତି। ତେବେ ଆମେରିକା ଫୁଡ୍‌ ଡ୍ରଗ୍‌ ଆଣ୍ଡ୍‌ ଆଡମିନିଷ୍ଟ୍ରେଶନ(ଏଫ୍‌ଡିଏ) ପକ୍ଷରୁ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଆମେରିକାରେ ଏହାର ବ୍ୟବହାର କରାଗଲେ ପରେ ହୁଏତ ଅଗାମୀ ଦିନରେ ଭାରତରେ ମଧ୍ୟ ଏହାକୁ ବ୍ୟବହୃତ କରାଯିବ ବୋଲି ଚର୍ଚ୍ଚା ହେଉଛି।

Share