କରୋନା ଲାଗି ସ୍ଥାନାନ୍ତର ହେଉଛନ୍ତି ଭିକାରି

ଭଦ୍ରକ ଅଫିସ,୨୭।୩: ଭଦ୍ରକ ପୌରପାଳିକା ପକ୍ଷରୁ ରାସ୍ତାପାର୍ଶ୍ୱରେ ଭିକ୍ଷାବୃତ୍ତି କରୁଥିବା ସମସ୍ତ ଭିକାରିଙ୍କୁ ଉଦ୍ଧାର କରାଯାଇ ମଠସାହିସ୍ଥିତ ବିଦ୍ୟାଳୟରେ ରଖାଯାଇଛି। ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କ ଉପସ୍ଥିତିରେ ସହରର ବନ୍ତ ଛକ ପୋଲ ତଳ ଓ ଆରଡ଼ି ଛକ ନିକଟରେ ବହୁ ଭିକାରି ରହୁଥିଲେ। ବର୍ତ୍ତମାନ କରୋନା ଭଳି ସ୍ଥିତିରେ ଅପରିଷ୍କାର ଅବସ୍ଥାରେ ରହିବା ନେଇ ପୌରପାଳିକା ନଜରରେ ଆସିଥିଲା। ପୋଲିସ ସହାୟତାରେ ପୌରପାଳିକା କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ କେତେକ ସ୍ବେଚ୍ଛାସେବୀ ନିୟମିତ ଭାବେ ସେମାନଙ୍କୁ ଖାଦ୍ୟ ଯୋଗାଉଥିବାରୁ ଏହି ସ୍ଥାନ ଛାଡ଼ିବା ପାଇଁ ରାଜି ହେଉ ନ ଥିବା ବେଳେ କେତେକ ପୋଲିସକୁ ଦେଖି ସ୍ଥାନ ଛାଡ଼ି ପଳାଇଯାଇଥିଲେ। ସମସ୍ତ ଭିକାରିଙ୍କ ପାଇଁ ପୌରପାଳିକା ରହିବା ସହ ଖାଦ୍ୟପେୟର ବ୍ୟବସ୍ଥା କରିଛି। ତେବେ ସ୍ବେଚ୍ଛାସେବୀ ସଂଗଠନ ଚାହିଁଲେ ଆଶ୍ରୟସ୍ଥଳୀରେ ସେମାନଙ୍କୁ ଖାଦ୍ୟ ଦେଇପାରିବେ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ କହିଛନ୍ତି। ରାସ୍ତାପାର୍ଶ୍ୱରେ ରହୁଥିବା ଲୋକଙ୍କୁ କରୋନା ଭଳି ସ୍ଥିତିରେ ଖାଦ୍ୟ ଦ୍ରବ୍ୟ ନ ଦେବାକୁ ଅନୁରୋଧ କରିଛି ପ୍ରଶାସନ।