କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’

ଗାଙ୍ଗଟକ୍‌,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨ ମା’ ଯଶୋଦା ପାଲଟିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସିକ୍କିମରେ। ଏହି ରାଜ୍ୟରେ କରୋନା ପ୍ରକୋପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଏଠାରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ରାଜ୍ୟରେ ଜଣେ ମହିଳାଙ୍କ ୨୭ମାସର ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ମହିଳାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଉକ୍ତ ଶିଶୁ ସଂକ୍ରମିତ ହେବା  ରାଜ୍ୟରେ ପ୍ରଥମ। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ଶିଶୁକୁ ମା’ଠାରୁ ଅଲଗା ରଖାଯାଇଛି। ହେଲେ ଏତେ ଛୋଟ ପିଲାକୁ ଏକୁଟିଆ ରଖିବା ଅସମ୍ଭବ ହେବା ସହ କଷ୍ଟକର ହୋଇପଡ଼ିଥିଲା। ଠିକ୍‌ ସେହି ସମୟରେ ଆଉ ଜଣେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। କିନ୍ତୁ ତାଙ୍କର ୬ବର୍ଷର ଶିଶୁ ପୁରା ସୁସ୍ଥ ଥିଲେ। ତେବେ ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨ମା’ ନିଆରା ଉପାୟ ଆପଣାଇବା ସହ ପରସ୍ପର ମଧ୍ୟରେ ନିଜ ଶିଶୁକୁ ବଦଳାଇ ଦେଇଥିଲେ। ଅର୍ଥାତ୍‌ ସଂକ୍ରମିତ ଶିଶୁର ଦେଖାଶୁଣା ପାଇଁ ତାଙ୍କ ପାଖରେ ସଂକ୍ରମିତ ମହିଳା ରହିଥିବା ବେଳେ ସୁସ୍ଥ ଶିଶୁର ଯତ୍ନ ନେବା ପାଇଁ ସୁସ୍ଥ ମହିଳା ରହିଥିଲେ। ଦୁହିଁଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଅପରପକ୍ଷେ ସଂକ୍ରମିତ ମହିଳା ଓ ଶିଶୁ ଏବେ ସୁସ୍ଥ ହେଉଥିବା ଜଣାପଡ଼ଛି। ଏହି ଘଟଣା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ସାଜିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି।

Share