Advertisement

କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତୀୟ ଅଧିକ ସଚେତନ

ଓ୍ବାଶିଂଟନ,୧୨।୫: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ଅନ୍ୟ କେତେକ ସଚେତନତା ପାଳନ କରିବା ଦ୍ୱାରା ଏଥିରୁ ଦୂରେଇ ରହିବା ସହଜ ହୋଇଥାଏ। ଏକ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶର ଲୋକଙ୍କ ତୁଳନାରେ ଭାରତୀୟମାନେ ଅଧିକ ସଚେତନ। ଏସମ୍ପର୍କରେ ଅନ୍ତର୍ଜାତୀୟ ସଂସ୍ଥା ଆଇ ସ୍କୋୟାର ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଜର୍ମାନୀ, ଆମେରିକା ଭଳି ଦେଶର ସାଧାରଣ ଲୋକଙ୍କ ଅପେକ୍ଷା ଭାରତୀୟମାନେ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ଅନ୍ୟ ନିୟମକୁ ଭଲଭାବେ ପାଳନ କରୁଛନ୍ତି। ୭୯ ପ୍ରତିଶତ ଭାରତୀୟ କରୋନା ମହାମାରୀ ପ୍ରତି ସତର୍କ ରହିଛନ୍ତି। ସେହିପରି ୭୮ ପ୍ରତିଶତ କରୋନା ସଂକ୍ରମଣକୁ ଏକ ବଡ଼ ସମସ୍ୟା କହିଛନ୍ତି। ଦେଶର ୧୬ରୁ ୩୯ ବର୍ଷ ବୟସ୍କ ଯୁବବର୍ଗଙ୍କ ତୁଳନାରେ ୪୦ରୁ ୬୯ ବର୍ଷ ବୟସ୍କ ଲୋକେ କରୋନା ସଂକ୍ରମଣ ନେଇ ଅଧିକ ସତର୍କ ରହୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି ସର୍ଭେ ୨୦ ମାର୍ଚ୍ଚରୁ ଏପ୍ରିଲ୍‌ ୨ ମଧ୍ୟରେ ହୋଇଥିଲା। ଏଥିରେ ୩୦୦ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଥିବା ବହୁ ଭାରତୀୟ ସର୍ଭେ ସମୟରେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share