କରୋନା ସଂକ୍ରମଣରେ ଆଗକୁ ବଢୁଛି ବ୍ରାଜିଲ-ଭାରତ

ଓ୍ବାଶିଂଟନ,୫।୬: ୟୁରୋପୀୟ ଦେଶକୁ ବାଦ୍‌ ଦେଲେ ଏବେ ଆମେରିକା ସମେତ ଏସିଆ ଓ ଆଫ୍ରିକାରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬,୯୨,୬୦୦ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୩,୯୨,୨୦୦ ଅତିକ୍ରମ କରି ସାରିଛି। ତେବେ ଗତ ୨୪ ଘଣ୍ଟାରେ ୫,୫୦୦ ଜଣଙ୍କ ମୃତ୍ୟୁ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଆମେରିକା ପରେ ବ୍ରାଜିଲ, ଭାରତ, ରୁଷିଆ, ପେରୁ, ଚିଲି ଓ ପାକିସ୍ତାନ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟି ଯାଇଛନ୍ତି। ବ୍ରାଜିଲରେ ଗୁରୁବାର ୩୧,୮୦୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୧୫,୮୭୦ରେ ପହଞ୍ଚିଛି।  ଗତ ୨୪ ଘଣ୍ଟାରେ ବ୍ରାଜିଲରେ ୧,୪୯୨ ଜଣଙ୍କ ମୃତ୍ୟୁ ହେବାସହ ସେଠାରେ ମୃତକଙ୍କ ସଂଖ୍ୟା ୩୪ ହଜାର ଅତିକ୍ରମ କରି ସାରିଲାଣି। ସେହିପରି ଭାରତରେ ଗତ ୨୪ ଘଣ୍ଟାରେ ୯,୮୫୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୨୬,୭୭୦ରେ ପହଞ୍ଚିଛି।  ୨୪ ଘଣ୍ଟାରେ ୨୭୩ ଜଣଙ୍କ ମୃତ୍ୟୁ ହେବାସହ ମୃତକଙ୍କ ସଂଖ୍ୟା ୬,୩୪୮ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।

Share