କରୋନା ସଂକ୍ରମଣ: ଆମେରିକା-ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଲିବାକୁ କରୁଛନ୍ତି ଯୋଜନା; ମିଳିତ ରିସର୍ଚ୍ଚରେ ଫାଟ !

ଓ୍ବାଶିଂଟନ/ବେଜିଂ,୧୮।୪: ପୃଥିବୀରେ ହୋଇଥିବା କରୋନା ସଂକ୍ରମଣ ନେଇ ଏବେ ଆମେରିକା ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଳିବାକୁ ଯୋଜନା କରୁଛନ୍ତି। ଗଣମାଧ୍ୟମ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଚାଇନାର ଉହାନ ସ୍ଥିତ ଲ୍ୟାବ୍‌ରୁ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହାର ତଦନ୍ତ ଗୁପ୍ତଚର ସଂସ୍ଥା ଦ୍ୱାରା କରାଯାଉଛି। ସଂସ୍ଥାର ରିପୋର୍ଟରୁ କିଏ ଦୋଷୀ ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ। ଚାଇନା ପ୍ରତି ସମସ୍ତଙ୍କର ନଜର ରହିଥିବା ଟ୍ରମ୍ପ୍‌ କହିଛନ୍ତି। ଚାଇନାର ଉହାନ ସହର ଥିବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିର ଏକ ଲ୍ୟାବ୍‌ରେ କରୋନା ସଂକ୍ରମଣ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ତେବେ ବାଦୁଡ଼ିଙ୍କ ଉପରେ ହେଉଥିବା ପରୀକ୍ଷା ନିରୀକ୍ଷା ପାଇଁ ଆମେରିକା ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିବା ମଧ୍ୟ ଜଣାପଡ଼ିଛି। ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ପକ୍ଷରୁ ଲ୍ୟାବ୍‌କୁ ପ୍ରାଣୀଙ୍କ ଉପରେ ପରୀକ୍ଷା ନିରୀକ୍ଷା ପାଇଁ ଉହାନର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଆମେରିକା ଅନୁଦାନ ଯୋଗାଇ ଦେଇଥିବା ନେଇ ଖବର ପ୍ରକାଶ ପାଇବା ପରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାଣିଶୁଣି କାଠଗଡ଼ାରେ କେବଳ ଚାଇନାକୁ ଛିଡ଼ା କରାଇବା ଉଦ୍ଦେଶ୍ୟରେ ଗଣମାଧ୍ୟମ ସମ୍ମିଳନୀରେ ଆୟୋଜନ କରାଯାଇଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାଯୋଗୁ ଆମେରିକା ଏବଂ ଚାଇନା ଦ୍ୱାରା କରାଯାଉଥିବା ମିଳିତ ରିସର୍ଚ୍ଚରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

Share