କରୋନା ସଂକ୍ରମଣ: ଇଟାଲୀକୁ ପଛରେ ପକାଇ ଆଉ ଗୋଟିଏ ପାହାଚ ଉପରକୁ ଗଲା ଭାରତ

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଗଲାଣି ସଂକ୍ରମିତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୮୮୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୩୬,୬୫୭ରେ ପହଞ୍ଚିଛି। ଅନ୍ୟପଟେ ଏବେ ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୨.୩୪ ଲକ୍ଷ ଥିବା ବେଳେ ସଂକ୍ରମଣ କ୍ଷେତ୍ରରେ ଭାରତ ଇଟାଲୀକୁ ପଛରେ ପକାଇ ଦେଇଛି। ଏହାସହ ସବୁଠାରୁ ଅଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ୬ ନମ୍ବର ସ୍ଥାନକୁ ଚାଲି ଯାଇଛି। ତେବେ ଦେଶରେ ଗତ ୨୪ ଘଣ୍ଟାରେ ୨୯୪ ଜଣଙ୍କ ମୃତ୍ୟୁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬,୬୪୨ରେ ପହଞ୍ଚି ଥିବା ବେଳେ ୧,୧୫,୯୪୨ ଜଣଙ୍କର ଚିକିତ୍ସା ଚାଲିଛି। ସେହିପରି ୧,୧୪,୦୭୩ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୨୨୯ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୪୨,୨୨୪ ଜଣଙ୍କ ଚିକିତ୍ସା ଚାଲିଛି। ତେବେ ଇଟାଲୀରେ ଦିନକରେ ଯେତିକି ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିଲା ଏବେ ତା’ଠାରୁ ଅଧିକ ସଂକ୍ରମିତଙ୍କୁ ଭାରତରେ ଚିହ୍ନଟ କରାଯାଇଛି। ଜନ୍ସ ହପକିନ୍ସ ୟୁନିଭସିଟିର ସୂଚନା ଅନୁଯାୟୀ, ଏବେ ବିଶ୍ୱରେ ୬୬.୬୪ ଲକ୍ଷ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩.୯୧ ଲକ୍ଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇ ସାରିଲାଣି।

Share