କରୋନା ସଂକ୍ରମଣ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗପ୍ରତିରୋଧକ ଶକ୍ତି

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ନେଇ ଭିନ୍ନ ଭିନ୍ନ ଗୁଜବ ମଧ୍ୟ ଉଠୁଛି। କେହି କେହି ଭିଟାମିନ୍‌-ସି, ଭିଟାମିନ୍‌-ଇ ଖାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଶରୀରରେ କୌଣସି ଭିଟାମିନ୍‌ର ଅଭାବ ଦେଖାଦେଲେ ହିଁ ଏହାର ସପ୍ଲିମେଣ୍ଟ୍‌ ଗ୍ରହଣ କରିବା ଆବଶ୍ୟକ ବୋଲି ଆମେରିକା ୟେଲ୍‌ ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜିଷ୍ଟ୍‌ ଅକିକୋ ଇବାସାକି କହିଛନ୍ତି। ଅନ୍ୟଥା ବିଭିନ୍ନ ଭିଟାମିନ୍‌ ଗ୍ରହଣ ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସାଧାରଣତଃ ଭିଟାମିନ୍‌-ଡିର ସପ୍ଲିମେଣ୍ଟ୍‌ ଗ୍ରହଣ ସବୁବେଳେ କରାଯାଇଥାଏ। ପୃଥିବୀର ଗରିବ ରାଷ୍ଟ୍ରଠାରୁ ଆରମ୍ଭ କରି ବିକଶିତ ରାଷ୍ଟ୍ରରେ ବି ଭିଟାମିନ୍‌-ଡି ଅଭାବ ଦେଖାଦେଇଥାଏ। ଭିଟାମିନ୍‌-ଡି ଦ୍ୱାରା ଶରୀରର ବହୁବିଧ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତେଣୁ ଏହାର ସପ୍ଲିମେଣ୍ଟ ଗ୍ରହଣ କଲେ ପ୍ରାୟତଃ କ୍ଷତି ହୋଇ ନ ଥାଏ। କେହିକେହି ଗ୍ରୀନ୍‌-ଟି ପିଇବା, ସବୁଜ ପନିପରିବା ଖାଇବା, ଲାଲ୍‌ ଲଙ୍କା ଖାଇବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ କରୋନା ଭୂତାଣୁ ସଂକ୍ରମଣ ହେଉ ନ ଥିବା କହୁଛନ୍ତି। ତେବେ ପ୍ରକୃତପକ୍ଷେ ଦୈନଦିନ ଭୋଜନରେ ସନ୍ତୁଳିତ ଆହାରକୁ ପ୍ରାଥମିକତା ଦେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ଇବାସାକି କୁହନ୍ତି। ଯେତେବେଳେ ପୃଥିବୀରେ ଏଭଳି ମହାମାରୀ ଦେଖାଦେଇଛି ସେତେବେଳେ ଏଭଳି ବହୁ ଗୁଜବ ଉଠିଥାଏ। ତେବେ ଏହା କେତେ ଦୂର ବିଜ୍ଞାନ ଦ୍ୱାରା ପ୍ରମାଣିତ ତାହା ଦେଖିବାର ଆବଶ୍ୟକ ମଧ୍ୟ ରହିଛି। ଶରୀରର ରୋଗ ପ୍ରତିରୋଧକ କ୍ଷମତା ୩ଟି ଅଂଶରେ ଥାଏ। ପ୍ରଥମଟି ତ୍ୱଚା ହୋଇଥିବାବେଳେ ଦ୍ୱିତୀୟଟି ନାଶାପଥ ଏବଂ ତୃତୀୟଟି ମ୍ୟୁକସ ଝିଲ୍ଲି( ଲସିକା)। ଏଗୁଡ଼ିକ ମଧ୍ୟ ଦେଇ ଭୂତାଣୁ ଶରୀରରେ ପ୍ରବେଶ କରିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦାୟୀ ଥିବା ଆଣ୍ଟିବଡ଼ି ଜିନ୍‌ ଯଦି ଆଣ୍ଟିଜେନ୍‌ଠାରୁ ଶକ୍ତିଶାଳୀ ହେଲା ତେବେ ଶରୀରରେ ସଂକ୍ରମଣ ହେବା ସମ୍ଭବ ନୁହେଁ। ଆଣ୍ଟିବଡ଼ିକୁ ଶକ୍ତିଶାଳୀ କରିବା ଲାଗି ସନ୍ତୁଳିତ ଆହାର ହିଁ ଜରୁରୀ। ଏପରିସ୍ଥଳେ ଗୁଜବର ବଶବର୍ତ୍ତୀ ହୋଇ ବିଭିନ୍ନ ଭିଟାମିନ୍‌ ଏବଂ ମନଇଛା ଖାଦ୍ୟ ଗ୍ରହଣ କେବେ ମଧ୍ୟ ଉପଯୋଗୀ ନୁହେଁ ବୋଲି ଇବାସାକି କୁହନ୍ତି।

Share